ନୟାଗଡରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ନୟାଗଡ଼,(୩୧/୦୮):- ନୟାଗଡ଼ ପୌର ପରିଷଦ ପକ୍ଷରୁ ଆଜି ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସହରରେ ଥିବା ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ସକାଳ ୮ଘଟିକା ସମୟରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ପଠାଣିସାମନ୍ତ ଅଡିଟୋରିୟମରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥା ଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶ ସୁବାଷ ଚନ୍ଦ୍ର ରାୟ ଯୋଗ ଦେଇଥିଲେ ।

ନୟାଗଡ଼ ଜିଲ୍ଲାପାଳ ତଥା ପୌର ପ୍ରଶାସିକା ଡା. ପୋମା ଟୁଡୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିବା ସହ ଜନସାଧାରଣଙ୍କ ପାଇଁ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ. ସାହୁ ତାଙ୍କ ବକ୍ତବ୍ୟରେ ନୟାଗଡ଼ର ପ୍ରତିଟି ମାଟିକୁ ମୋର ବୋଲି ଭାବିବାକୁ ହେବ ବୋଲି କହିଥିଲେ । ଲୋକମାନେ ନିଜର ଭାବିଲେ ତାହାର ସାମାନ୍ୟତମ କ୍ଷତି ହେବ ନାହିଁ ବୋଲି କହିଥିଲେ। ସମସ୍ତେ ନିଜର ସ୍ୱାର୍ଥକୁ ତ୍ୟାଗ କଲେ ଯାଇ ପ୍ରକୃତରେ ସହରର ବିକାଶ ହୋଇପାରିବ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେହିଭଳି ଭାବେ ନୟାଗଡ଼ ଜନସାଧାରଣ ସରକାରଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜର ଭାଗିଦାରିତା ରଖିବା ସହ ତାହାର ସୁରକ୍ଷା ନେଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ଜିଲ୍ଲାପାଳ ଡ.ପୋମା ଟୁଡୁ ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିଭଳି ଭାବେ ନିର୍ମାଣ କରାଯାଉଥିବା ବଲାଙ୍ଗୀ ପାର୍କ ଦିନେ ବିଶ୍ବସ୍ତରୀୟ ହେବ ବୋଲି କହିଥିଲେ । ଆଗାମୀ ଦିନରେ ପୌର ପରିଷଦ ପକ୍ଷରୁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ । ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାୟ ସହରକୁ ସରସ ସୁନ୍ଦର କରିବାକୁ ହେଲେ ସମସ୍ତଙ୍କ ସହଭାଗିତା ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଜନପ୍ରତିନିଧି ଏବଂ ଜନସାଧାରଣ ଯୋଗ ଦେଇଥିବା ଜଣାଯାଇଛି । ଆଜି ୪୦ ଜଣଙ୍କୁ ଭୂମି ଅଧୁକାରୀ ପ୍ରମାଣପତ୍ର ଏବଂ ଅନେକ ଲୋକଙ୍କୁ ବାର୍ଦ୍ଧକ୍ୟଭତ୍ତା ପ୍ରଦାନ କରାଯାଇଛି । ପୌର ପରିଷଦ କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।

Related posts