ଓଡଗାଁକୁ ରାଜସ୍ବ ସବ ଡିଭିଜନ ମାନ୍ୟତା ଏବଂ ସବ ଟ୍ରେଜେରି ଅଫିସ ଖୋଲିବା ପାଇଁ ଦାବୀ

ନୟାଗଡ଼,(୨୦/୦୮):- ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଆଧୁନିକ ଭାରତବର୍ଷର ନିର୍ମାତା ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୭୭ତମ ଜନ୍ମ ଜୟନ୍ତୀ ଉତ୍ସବ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଦଲକ ସାହିଠାରେ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ପ୍ରଶାନ୍ତ କୁମାର ପାଇକେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ରାଜୀବ ଗାନ୍ଧୀଙ୍କ ସ୍ମୃତିଚାରଣ କରି ୧୮ବର୍ଷ ବୟସ୍କଙ୍କୁ ମତଦାନ ଅଧିକାର, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ, ମୋବାଇଲ ଇଣ୍ଟରନେଟ, ଏଟିଏମ ଶୁଭାରମ୍ଭ ଏବଂ ଶ୍ରୀଲଙ୍କାକୁ ଶାନ୍ତି ସେନା ପ୍ରେରଣ ଭଳି ଯୁଗପୋଯୋଗୀ କାର୍ଯ୍ୟାବଳୀ ଆଜି ମଧ୍ୟ ଦେଶବାସୀଙ୍କ ପାଖରେ ଆଦୃତ ହୋଇ ପାରିଛି ବୋଲି କହିଥିଲେ। ଓଡଗାଁ ବ୍ଲକ/ତହସିଲକୁ ରାଜସ୍ବ ସବ-ଡିଭିଜନ ମାନ୍ୟତା, ଓଡଗାଁରେ ସବ ଟ୍ରେଜେରି ଅଫିସ ଖୋଲିବା ଏବଂ ଓଡଗାଁ ଓଏସଆରଟିସି ୟୁନିଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ କଂଗ୍ରେସ ଅନୁଷ୍ଠାନିକ ଭାବେ ଦାବୀ କରୁଛି ଏବଂ ଆଗାମୀ ଦିନରେ ସ୍ଥାନୀୟ ବିଧାୟକ ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ନାୟକ, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା କଂଗ୍ରେସ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଦେବରାଜ ପାଢ଼ୀ, ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ଜଗନ୍ନାଥ ନାୟକ, ସୋମନାଥ ସାହୁ, ଦିଲ୍ଲୀପ କୁମାର ବିଶୋଇ, ସୂର୍ଯ୍ୟମଣି ନାୟକ, ଆଡ଼ଭୋକେଟ ବିଭୁତି ରାଉତ, ରାଧାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଛାଡ଼ି ବିଜେଡି ମିଶିଥିବା ଓଡଗାଁ ବିଜ୍ଞାପିତ ପରିଷଦର ଦୁଇ ବରିଷ୍ଠ ସଂଗଠକ ଭଗବାନ ଆଚାର୍ଯ୍ୟ ଏବଂ ଫକୀର ପରିଡା ଆଜି ରାଜୀବ ଜୀଙ୍କ ଜନ୍ମତିଥିରେ ଜିଲ୍ଲା ସଭାପତିଙ୍କ ଅନୁରୋଧ ରକ୍ଷାକରି ପୁଣି ବିଜେଡି ଛାଡ଼ି କଂଗ୍ରେସକୁ ଘରବାହୁଡା଼ କରିଥିବାରୁ ସେମାନଙ୍କୁ ଦଳରେ ସ୍ବାଗତ କରାଯାଇଥିଲା। ପଞ୍ଚାୟତ ପୌର ନିର୍ବାଚନ ପୂର୍ବରୁ ଦଳକୁ ସଶକ୍ତ କରାଯାଉଛି ବୋଲି ଜିଲ୍ଲା ସଭାପତି ରଣଜିତ ଦାଶ କହିଛନ୍ତି।

Related posts