ସ୍ୱାଧୀନତା ଦିବସରେ ଅନନ୍ୟା ଫାଉଣ୍ଡେସନ ଦ୍ୱାରା ସେବା କାର୍ଯ୍ୟକ୍ରମ

ନୟାଗଡ଼,(୧୫/୦୮):- ଅନନ୍ୟା ଫାଉଣ୍ଡେସନ୍ ନୟାଗଡ଼ ବ୍ଳକ ଟାଙ୍ଗିପାଟଣାସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ସରକାରଙ୍କ କୋଭିଡ଼ ଗାଇଡ଼ ଲାଇନକୁ ଅନୁସରଣ କରି ୧୦ଜଣ ସଦସ୍ୟଙ୍କ ମଧ୍ୟରେ ଆଜି ୭୫ତମ ସ୍ବାଧୀନତା ଦିବସ ପାଳନ କରିବା ସହ ତାର ସେବା କାର୍ଯ୍ୟକ୍ରମ ଜାରି ରଖିଥିଲା। ଆଜି କାର୍ଯ୍ୟକ୍ରମର ପ୍ରଥମ ଭାଗରେ ଟାଙ୍ଗିପାଟଣାର ସମସ୍ତ ଅଧିବାସୀମାନଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇ ସଦସ୍ୟମାନେ ପ୍ରତି ଘରେ ଘରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

ପରେ ପରେ ସମସ୍ତ ସଦସ୍ୟମାନେ ଶଙ୍ଖେଇ, ଡ଼ମସାହି, ମାଳିସାହି, ଦର୍ପନାରାୟଣପୁର, ଲୁଣିସାହି ଇଟାମାଟି ଓ ବାପୁଜୀ ନଗରରେ ଥିବା କିଛି ଜନଜାତିର ଅଧିବାସୀଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଉକ୍ତ ପରିବାର ଗୁଡିକରେ ୧୫ବର୍ଷରୁ ତଳକୁ ଥିବା ସମସ୍ତ ପିଲାଙ୍କ ନିମନ୍ତେ ନୂତନ ପୋଷାକ ପ୍ରଦାନ କରାଯାଇଥିଲା। ପରେ ପଣ୍ଡୁସରର ପିତାମାତା ହରେଇ ଥିବା ଭାଈ ଭଉଣୀଙ୍କୁ ନୂତନ ପୋଷାକ ଓ ରାଶନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ପରେ ଗମ୍ଭାରୀଡ଼ିହି ଗ୍ରାମରେ ୫୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରା ଯାଇଥିଲା। ପରିଶେଷରେ ଗମ୍ଭାରିଡ଼ିହି ଗ୍ରାମର ପାଖାପାଖି ୫୦୦ କୁନି କୁନି ଛୁଆ ଓ ବୃଦ୍ଧଙ୍କ ପାଇଁ ରନ୍ଧା ଖାଦ୍ୟର ଆୟୋଜନ କରାଯାଇଥିଲା। ଯାହାକୁ ନେଇ ଗ୍ରାମର ସରପଞ୍ଚ ଅନନ୍ୟା ଫାଉଣ୍ଡେସନର ଏହିଭଳି ସେବା କାର୍ଯ୍ୟକ୍ରମକୁ ଖୁବ ପ୍ରଶଂସା କରିଥିଲେ।

Related posts