ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା ଉପରେ ଆଲୋଚନା ଚକ୍ର

ଗଣିଆ,(୦୩/୦୮):- ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା ଉପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମଧୁସୂଦନ ଦାସଙ୍କ ପୈାରହିତ୍ୟରେ ବିପିଏମ ତୁଷାର ରଞ୍ଜନ ସାହୁ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଗଣିଆ ମଣ୍ଡଳଉନ୍ନୟନ ଅଧିକାରୀ ସିରିୟଲ ଶୁଭ୍ର ପଟେଲ ଯୋଗ ଦେଇ ଡେଙ୍ଗୁ ରୋଗର ଲକ୍ଷଣ ଓ ଏହି ରୋଗର ବାହକ ଭୂତାଣୁ ବିଷୟରେ ସୂଚନା ପ୍ରଦାନ କରିବା ସହିତ ବ୍ୟକ୍ତିଗତ ସ୍ତରରେ କିପରି ସଚେତନ ରହି ରୋଗରୁ ସୁରକ୍ଷା ମିଳିପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥିଭାବେ ଶିଶୁ ସୁରକ୍ଷା ଅଧିକାରିଣୀ ସୌଦାମିନୀ ପଣ୍ଡା , ପିଏଚଇଓ କମଳା ମହାରଣା ଯୋଗଦେଇ ଡେଙ୍ଗୁର ବିଭିନ୍ନ ଲକ୍ଷଣ, ଏହି ରୋଗର ପ୍ରକାର ଭେଦ, ଚିକିତ୍ସା ପଦ୍ଧତି ଓ ଉପଚାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଡେଙ୍ଗୁ ରୋଗର ଭୂତାଣୁ ଏଡିସ୍ ମଶାର ବଂଶ ବୃଦ୍ଧିକୁ କିପରି ରୋକାଯାଇ ପାରିବ, ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ସଚେତନତା ଓ ସତର୍କତା ମାଧ୍ୟମରେ କିପରି ଏହି ରୋଗରୁ ସୁରକ୍ଷା ମିଳିପାରିବ ରାଜ୍ୟ ତଥା ଜିଲ୍ଲାରେ ପ୍ରଶାସନିକ ସ୍ତରରେ ଏହି ରୋଗକୁ ପ୍ରତିହତ କରିବା ପାଇଁ କ’ଣ କ’ଣ ପଦକ୍ଷେପ ନିଆ ଯାଇଛି ସେ ସମ୍ପର୍କରେ ମୁଖ୍ୟ ଅତିଥି ଓ ଡାକ୍ତର ମଧୁସୂଦନ ଦାଶ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଗଣିଆ ଉନ୍ନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଆଲୋଚନା ଚକ୍ରର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବାସହ ଏହିଭଳି ଅନେକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛତ୍ରୀ ତଥା ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଆଗାମୀ ୧୩ତାରିଖ ଶୁକ୍ରବାର ଦିନ ବ୍ଲକର ସମସ୍ତ ସରକାରୀ ବିଭାଗ କର୍ମଚାରୀ, ସ୍ବେଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ଵଛତା କାଯ୍ୟକ୍ରମ ହେବ ବୋଲି ବିଡ଼ିଓ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଡକଟା ସରପଞ୍ଚ ବୀରକିଶୋର ଜେନା କରଡ଼ାପଡା ସରପଞ୍ଚ ବେଣୁଧର ଦାଶ, ଗଣିଆ ଶିଶୁରାଇଜର ସମ୍ପାଦକ ସରୋଜ କୁମାର ଦାଶଙ୍କ ସମେତ ସ୍ୱାସ୍ଥ୍ୟବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Related posts