କୁରାଳରେ ବର୍ଷା ପାଇଁ ଗିରିପୂଜାର ଆୟୋଜନ କଲେ ଗ୍ରାମବାସୀ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ିଶାରେ ଜଳ ସେଚନର ସୁବିଧା କମ ହେତୁ ଚାଷୀ କୂଳ ଚାତକ ପରି ବର୍ଷା ଜଳକୁ ଅନାଇ ରହିଥାଏ।ପରିବେଶ ପ୍ରଦୂଷଣ ଓ ଜଙ୍ଗଲ କ୍ଷୟ ହେତୁ ବର୍ଷା ଜଳର ଅନିୟମିତତା ଚାଷୀକୁ ନୈରାଶ୍ୟ ଆଡ଼କୁ ଠେଲି ଦେଇଥାଏ। ବର୍ଷା ଜଳକୁ ଆବାହନ କରି କିଏ ହୋମ ଯଜ୍ଞ କରନ୍ତି ତ କିଏ ବେଙ୍ଗ ବେଙ୍ଗୁଲି ନାଚ କରିବା ସହିତ କେହି କେହି ଗିରି ପୂଜା କରିଥାନ୍ତି। ଏହି ବିଚାର ନେଇ ଆଜି କୁରାଳ ବେଂଗେଇ ସାହି ଓ ତୋଟା ସାହିର ବାସିନ୍ଦା ମାନେ ସଙ୍କୀର୍ତ୍ତନ କରି ମା ବାଗ୍ଦେବୀ ପୀଠରେ ଗିରି ପୂଜା କରିଥିଲେ। ଆମ ହିନ୍ଦୁ ଧର୍ମରେ ଏହା ଏକ ଅନନ୍ୟ ପରମ୍ପରା।

ଯଦି ଚ ଆଜି ଏକ ପୂଜା ପରମ୍ପରା ଏହା ପରିଣତ ହୋଇ ଯାଇଛି ତଥାପି ଏହାର ମୂଳ ବିଚାର ହେଉଛି ଗିରି ବା ପାହାଡ଼ରେ ଥିବା ଗଛ ଲତା ଓ ଜୀବଜନ୍ତୁ ପ୍ରତି ଭକ୍ତି ଭାବ ରଖି ସେମାନଙ୍କ ସୁରକ୍ଷା ଦେବା ଓ ପାହାଡ ଗଛଲତାର ସୁରକ୍ଷା ଦ୍ଵାରା ମୃତ୍ତିକା କ୍ଷୟ ରୋକିବା ଆଉ ଜୈବ ବିବିଧତାକୁ ବଜାୟ ରଖିବା। ସଚେତନ ହୋଇ ହେଉ ବା ଧାର୍ମିକ ଭାବ ନେଇ ହେଉ ଯେଉଁ ବାଟରେ ହେଲେବି ପ୍ରକୃତି ମାତାର ସୁରକ୍ଷା ଜରୁରୀ ବୋଲି କହନ୍ତି ପରିବେଶ ପ୍ରେମୀ ସୁକାନ୍ତ ଚୌଧୂରୀ। ତାଙ୍କରି ମତରେ ବର୍ଷା ନିୟମିତ ହେଉ ବା ଅନିୟମିତ ହେଉ ପ୍ରତିବର୍ଷ ଏ ସମୟରେ ଅଧିକରୁ ଅଧିକ ସଚେତନ ହୋଇ ଏ କାର୍ଯ୍ୟକୁ ଚାଲୁ ରଖିଲେ ଲୋକମାନେ କ୍ରମଶଃ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବେ। ପ୍ରତିବର୍ଷ ଗିରି ପୂଜା କରିବା ସହିତ ବ୍ୟାପକ ବୃକ୍ଷ ରୋପଣ କରିବା ଏବଂ ଜଙ୍ଗଲ ଓ ପାହାଡର ସୁରକ୍ଷା ପ୍ରତି ଯତ୍ନଶୀଳ ହେବା ପାଇଁ ଆୟୋଜକମାନଙ୍କୁ ନିବେଦନ କରାଯାଇଥିଲା।

Related posts