ଓଡ଼ଗାଁ,(୦୧/୦୮):- ଭାରତ ସ୍ଵାଧିନତା ଆନ୍ଦୋଳନର ବାର୍ତ୍ତା ବହ ତଥା ଅତିମାନବର ଦ୍ରଷ୍ଟା ଯୋଗୀ ଗୁରୁ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଏକ ଶହ ପଚାଶ ତମ ଜନ୍ମ ବାର୍ଷିକୀ ସାରା ରାଜ୍ୟରେ ଚଳିତ ଅଗଷ୍ଟ ୧୫ ଠାରୁ ଆଗାମୀ ବର୍ଷ ଅଗଷ୍ଟ ପନ୍ଦର ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି। ଏଥି ନିମନ୍ତେ ଓଡ଼ଗାଁ ବ୍ଲକ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଆବାହକ ସୁକାନ୍ତ ଚନ୍ଦ୍ର ଚୌଧୁରୀଙ୍କ ଆବାହକତ୍ଵରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର କୁରାଳ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଓଡ଼ଗାଁ ବ୍ଲକର ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଗୁଡ଼ିକର ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳକ ତଥା ପାଠଚକ୍ରର ସଭ୍ୟ ସଭ୍ୟା, ଶିକ୍ଷା କେନ୍ଦ୍ରର ଅଭିଭାବକ, ପୁରାତନ ଛାତ୍ରୀ ଛାତ୍ର ଇତ୍ୟାଦି ଯୋଗ ଦେଇଥିଲେ। ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପାଠ ଚକ୍ର ସଂଯୋଜକ ସୁନୀଲ କୁମାର ପୃଷ୍ଟି ଓ ସନାତନ ଲେଙ୍କା, ସାଧିକା ପୁଷ୍ପାଞ୍ଜଳି ସାହୁ, ଅଧ୍ୟାପକ ପ୍ରଶାନ୍ତ କୁମାର ରଥ, ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାଥୁଆ ଉପସ୍ଥିତ ରହି ଶ୍ରୀ ଅରବିନ୍ଦଙ୍କ ପାଞ୍ଚଟି ସ୍ବପ୍ନ, ତିନୋଟି ପାଗଳାମି ଆଲୋଚନା ସହ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମକର ରୂପରେଖ ପ୍ରଦାନ କରିଥିଲେ। ଯୁଗ୍ମ ଆବାହକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ପ୍ରଦୀପ କୁମାର ଜେନା, ରାଜକିଶୋର ନାୟକ, ଚିନ୍ତାମଣି ମିଶ୍ର, ଡ଼ଃ. ଜ୍ଞାନଜ୍ୟୋତି ଦାଶ ପ୍ରମୁଖ ଉପସ୍ଥିତ ରହି ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।
ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଓଡ଼ଗାଁରେ ବୈଠକ
