ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(୦୨/୦୮):- ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ନିମ୍ନ ପ୍ରଦତ୍ତ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ବଦଳି ଦାବିରେ ଅଗଷ୍ଟ ୯କ୍ରାନ୍ତି ଦିବସରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ସମେତ ସମସ୍ତ ବ୍ଲକ କଂଗ୍ରେସ ସଭାପତିଗଣ, ଜିଲ୍ଲା କଂଗ୍ରେସର ସମସ୍ତ ଛାମୁଆ ସଂଗଠନର ମୁଖ୍ୟ ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ଧରି ପାଟିରେ କଳାକନା ବାନ୍ଧି ଲଣ୍ଠନ ଧରି ଅଭିନଵ ଶୈଳୀରେ ଦାବି ଉପସ୍ଥାପନା କରାଯିବା ପାଇଁ ଜିଲ୍ଲା କଂଗ୍ରେସର ଗୁରୁତ୍ୱପୂର୍ଣ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି।


୧:- ଜିଲ୍ଲାର କିଛି ନିର୍ଦ୍ଧିଷ୍ଟ ମିଲର ଏବଂ ଖଣି ମାଫିଆମାନଙ୍କ ବେଆଇନ ମାଲିକାନାରେ ପୁଆଁଣିଆ, ମହିଷାଗୋଠ ପଲ୍ଲୀ, ସୁନାଖଳା ପୋକଶୁଙ୍ଗା, ପଙ୍କାଳସାହି, ବଳଭଦ୍ରପୁର ଠାରେ ବେଆଇନ ଷ୍ଟୋନ କ୍ରସର ଚଲାଯାଇ ସଂରକ୍ଷିତ ଜଙ୍ଗଲ ମୁଣ୍ଡିଆ ପାହାଡ଼ ଲୁଟ କରାଯାଇ କୋଟିକୋଟି ଟଙ୍କାର ରାଜସ୍ବ କ୍ଷତି ପାଇଁ ଖୋଦ ଜିଲ୍ଲାପାଳଙ୍କୁ ଦାୟୀ କରିଛି କଂଗ୍ରେସ। ଜିଲ୍ଲାପାଳ ଏହି ବେଆଇନ କ୍ରସର ଉପରେ ଚଢ଼ାଉ କରୁ ନାହାଁନ୍ତି କାହିଁକି ଯଦି ଜିଲ୍ଲାପାଳ ଆଉ ଅଧିକା ଦିନ ଏଠାରେ ଦାୟିତ୍ୱରେ ରହିବେ ତେବେ ପ୍ରାକୃତିକ ସମ୍ପଦ ସୁରକ୍ଷିତ ନୁହେଁ ତେଣୁ ସରକାର ତୁରନ୍ତ ଜିଲ୍ଲାପାଳଙ୍କୁ ବଦଳି କରନ୍ତୁ।


୨:- ପୁରୁଣା ଦଶପଲ୍ଲା ଠାରେ ରେଲୱେ ଟ୍ରାକ ନିର୍ମାଣ ପାଇଁ ପାହାଡ଼ ଫଟାଯିବା ପରେ ସେଠାରୁ ପ୍ରାୟ ୨ ରୁ ୩ କୋଟି ଟଙ୍କାର ପଥର ରେଲୱେ ଠିକାଦାର ମସମାସ ଲାଗି ଲୁଟିକି ନେଇଯିବା ପଛରେ ୪୦ ଲକ୍ଷ ଟଙ୍କାର ଲାଞ୍ଚ କିଏ ଖାଇଛି ତଦନ୍ତ ହେଉ କାରଣ ସମ୍ପୃକ୍ତ ପଥର ମାପ କରାଯାଇ ରୟାଲିଟି ଫିକ୍ସ ନହେବା ପଛର ରହସ୍ୟ ଜିଲ୍ଲାପାଳ ଉନ୍ମୋଚନ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।


୩:-ପଞ୍ଚାୟତ ନିର୍ବାଚନରେ ସ୍ଵଛ ଓ ନିରପେକ୍ଷତା ପାଇଁ ଏଥିରେ ନିୟୋଜିତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ତିନିବର୍ଷିଆ ବଦଳି ନିୟମ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଜିଲ୍ଲାପାଳଙ୍କ ଆନ୍ତରିକତା ନାହିଁ।


୪:- ନୟାଗଡ ଚିନିକଳ ବନ୍ଦ ହୋଇଥିଲେ ମଧ୍ୟ ଏହାର ସମ୍ପତ୍ତି ସୁରକ୍ଷିତ ଥିଲା ମାତ୍ର ବର୍ତ୍ତମାନ ଜିଲ୍ଲାପାଳଙ୍କ ଅଯୋଗ୍ୟତା ପାଇଁ ପ୍ରାୟ ୩୦ କୋଟି ଟଙ୍କାର ଚିନିକଳ ଯନ୍ତ୍ରାଂଶ ଚୋରି ହେବାର ଜାଣି ମଧ୍ୟ ମହାଶୟା ଚୁପ ରହିଥିଲେ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ତାଗିଦ ପରେ ଲାଗିଲା ସିସି ଟିଭି କ୍ୟାମେରା ତେଣୁ ଚିନିକଳ ବୁଡିବା ପାଇଁ ଦାୟୀ ଜିଲ୍ଲାପାଳ।


୫:- ଜିଲ୍ଲାପାଳ ଅଫିସ ଆସୁନାହାନ୍ତି କି ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଜକୁ ସାମିଲ କରାଉ ନାହାଁନ୍ତି।


୬:- ବିଗତ ୨ବର୍ଷରେ ପ୍ରାୟ ୨୦୦ କୋଟି ଟଙ୍କାର ମନରେଗା ପାଣ୍ଠି ବ୍ୟୟରେ ବ୍ୟାପକ ଦୁର୍ନୀତିର ଗନ୍ଧ। କେବଳ ଭାପୁର ବ୍ଲକରେ ଖର୍ଚ୍ଚ ହୋଇଛି ୮୦ କୋଟି କିନ୍ତୁ ଦୁର୍ନୀତିର ପ୍ରାମାଣିକ ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଉଥିଲେବି ଜିଲ୍ଲାପାଳ ତଦନ୍ତ କରୁ ନାହାଁନ୍ତି କାହିଁକି।


୭:- ଜିଲ୍ଲାରେ କଷ୍ଟମ ମିଲର ମାନେ ବିଗତ ୨ ବର୍ଷ ଧରି ଜିଲ୍ଲାବ୍ୟାପି ନିମ୍ନମାନର ଅଖାଦ୍ୟ ଚାଉଳ ଯୋଗାଣ ସହ ଅଣଚାଷୀଙ୍କୁ ପଞ୍ଜିକୃତ କରାଇ ଧାନକିଣାରେ ଦୁର୍ନୀତି ଅନିୟମିତତା ହେଉଥିଲେବି କାର୍ଯ୍ୟାନୁଷ୍ଠାନ ଶୂନ ଆଉ ପ୍ରକୃତ ଚାଷୀ ଧାନ ବିକ୍ରି କରିପାରୁ ନାହାଁନ୍ତି। ଏଥିପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରାଯାଇଛି ।


ରାଜ୍ୟ ସରକାର ଜିଲ୍ଲାର ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ କୋଟିକୋଟି ଟଙ୍କାର ରାଜସ୍ବ କ୍ଷତିରୁ ବର୍ତ୍ତିବା ପାଇଁ ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳି ନକରନ୍ତି ତେବେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରତିବାଦ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛି।

Related posts