ବାତ୍ୟା ପ୍ରଭାବିତଙ୍କ ସୁରକ୍ଷା ଓ ସହାୟତା ପାଇଁ ଆଶ୍ରୟସ୍ଥଳୀ ବୁଲି ଦେଖିଲେ ବାଚସ୍ପତି ସୁରମା ପାଢ଼ୀ

ରଣପୁର, (ନୟାଗଡ଼ ଦର୍ପଣ): ବାତ୍ୟା ‘ଆକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରଣପୁର ଅଞ୍ଚଳର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ। ଜନସାଧାରଣଙ୍କ ସୁରକ୍ଷା, ଆଶ୍ରୟ ଓ ଆବଶ୍ୟକୀୟ ସହାୟତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସେ ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ସେଠାରେ ଉପଲବ୍ଧ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସାନଗଡ଼ ପ୍ରାଥମିକ ବିଦ୍ୟାଳୟ, ଚମ୍ପାପେଡ଼ି ବନ୍ୟା ଆଶ୍ରୟସ୍ଥଳୀ, ବାରଙ୍ଗଗାଡ଼ିଆ ବାତ୍ୟା ଆଶ୍ରୟସ୍ଥଳୀ, କେରେଣ୍ଡାଟାଙ୍ଗି ପଞ୍ଚାୟତର ମୁକ୍ତାପୁର ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଚମ୍ପାଗଡ଼ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ ।ଆଶ୍ରୟସ୍ଥଳୀଗୁଡ଼ିକରେ ରହିଥିବା ସୁବିଧା, ସୁରକ୍ଷା ବ୍ୟବସ୍ଥା ଓ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।
ଏହି ସମୟରେ ବାଚସ୍ପତିଙ୍କ ସହ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, ରଣପୁର ବିଡ଼ିଓ ଅଶ୍ୱିନୀ କୁମାର ମହାପାତ୍ର, ଅତିରିକ୍ତ ବିଡ଼ିଓ ଅଭିନାଶ ପତି, ପରେଶ ମିଶ୍ର, ଜୟନ୍ତ କୁମାର ନାୟକ, ନିର୍ମଳ କୁମାର ମତଗଜସିଂ, ଅଭିଷେକ ସମାନ୍ତରାୟ ଓ ଗଣେଶ୍ୱର ମାନ୍ଧାତା ପ୍ରମୁଖ ଉପସ୍ଥିତ ରହିଥିଲେ।
ବାତ୍ୟା ଓ ପ୍ରାକୃତିିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ପ୍ରଶାସନ ଓ ଜନପ୍ରତିନିଧିଙ୍କ ସମନ୍ୱିତ ପ୍ରୟାସ ମାଧ୍ୟମରେ ବିପଦ ସମୟରେ ଲୋକଙ୍କୁ ସୁରକ୍ଷା ଓ ସହଯୋଗ ଯୋଗାଇବା ହିଁ ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୪ ଟି ଆଶ୍ରୟସ୍ଥଳୀରେ ପ୍ରାୟ ୭୦୦ ରୁ ଉର୍ଦ୍ଧ୍ଵ ଏବଂ ଅନ୍ୟ ପଞ୍ଚାୟତ ରେ ୭ ଟି ବାତ୍ୟା ଆଶ୍ରୟସ୍ଥଳୀ ରେ ପ୍ରାୟ ୭୫୦ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏହି ବାତ୍ୟା ପ୍ରଭାବରେ ଅଞ୍ଚଳରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ଵ ଘର ଭାଙ୍ଗିଛି ଏବଂ ଆକଳନ ପରେ ଏହା ସର୍ବାଧିକ କେତେ ଘର ଭାଙ୍ଗିଛି ତାହା ଆକଳନ କରାଯିବ

Related posts