ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ପରିବେଶ ସନ୍ତୁଳନ ସମଗ୍ର ବିଶ୍ବ ପାଇଁ ଏକ ଆହ୍ୱାନ ରୂପେ ଉଭା ହୋଇଅଛି। ଏହାର ସର୍ବୋତ୍ତମ ପ୍ରତିକାର ବ୍ୟାପକ ବୃକ୍ଷ ରୋପଣ ଓ ଜଙ୍ଗଲ ସୃଷ୍ଟି। ଏହି ବିଚାରକୁ ଆଧାର କରି ଆଜି ଅରୋମିରା ଟ୍ରଷ୍ଟ, କୁରାଳ ତରଫରୁ ଶ୍ରୀ ଅରବିନ୍ଦଙ୍କ ଶହେ ପଚାଶତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା। ଅରୋମୀରା ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ତଥା ସାମାଜିକ ଓ ପରିବେଶ କର୍ମୀ ସୁକାନ୍ତ ଚୌଧୁରୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ମୀରା, ଶ୍ରୀମାଙ୍କ ନାମରେ ଗୋଟିଏ ବୃକ୍ଷ ଧୂପ ଅର୍ପଣ କରି ଭକ୍ତି ପୂର୍ବକ ରୋପଣ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ରୋପଣ ଓ ଯତ୍ନ ସମ୍ବନ୍ଧେ ସଚେତନ କରାଇବା ସହିତ ନିଜର ଅଞ୍ଚଳର କିମ୍ବା ଗାଁ’ରେ ଖାଲିଥିବା ସର୍ବ ସାଧାରଣ ସ୍ଥାନ ମାନଙ୍କରେ ଚାରା ନେଇ ରୋପଣ ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ପିଲାଟିଏ, ଗଛ ଟିଏ, ଖାଲି ଜାଗା ଯେଉଁଠି, ଗଛ ଲଗାଅ ସେଇଠି, ବୃକ୍ଷ ଦେବାୟ ନମଃ ଇତ୍ୟାଦି ସ୍ଳୋଗାନ ଦେଇ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ଭାବଗ୍ରାହୀ କର ପରିବେଶ ସୁରକ୍ଷା ସମ୍ବନ୍ଧେ ସଚେତନ କରାଇବା ସହିତ ଅରୋ, ଶ୍ରୀ ଅରବିନ୍ଦଙ୍କ ନାମରେ ଗୋଟିଏ ଚାରା ରୋପଣ ଭକ୍ତିଭାବ ପୂର୍ଣ୍ଣ ପରିବେଶରେ କରିଥିଲେ। ଅରୋମିରା ଟ୍ରଷ୍ଟ ତରଫରୁ ବୃକ୍ଷକୁ ମା ଓ ଦେବୀ ରୂପେ ବିଚାର କରି କରାଯାଉଥିବା ରୋପଣ ଓ ତା ପରବର୍ତ୍ତୀ ଯତ୍ନକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଟ୍ରଷ୍ଟ ଓ ପରିବେଶ ସାଥି ସହଯୋଗରେ ମହାବିଦ୍ୟାଳୟକୁ ଏକ ସବୁଜ ବଳୟରେ ପରିଣତ କରିବା ନିମନ୍ତେ ବିଚାରରେ ରଖି ସମସ୍ତ ପରିବେଶ ପ୍ରେମୀ ମାନଙ୍କୁ ଉତ୍ସାହର ବାର୍ତ୍ତା ପହଞ୍ଚାଇଥିଲେ ।ମହାବିଦ୍ୟାଳୟର ପ୍ରଥମ ସମ୍ପାଦକ ପରିବେଶ ପ୍ରେମୀ ସ୍ୱର୍ଗୀୟ ଗୁରୁମୂର୍ତ୍ତି ସୁବୁଦ୍ଧି ଓ ପଦ୍ମଶ୍ରୀ ପ୍ରଫେସର୍ ରାଧାମୋହନ ସାରଙ୍କ ସ୍ମୃତିରେ ମହାବିଦ୍ୟାଳୟରେ ବିଭିନ୍ନ ପରିବେଶ ଭିତ୍ତିକ କାର୍ଯ୍ୟକ୍ରମ ନିଆଯିବା ପାଇଁ ଶ୍ରୀଯୁକ୍ତ ଚୌଧୁରୀ ଜଣାଇଥିଲେ। ଜାତୀୟ ସେବା ସଂସ୍ଥା ସଂଯୋଜକ ଅଧ୍ୟାପକ କୃଷ୍ଣଚନ୍ଦ୍ର ସାହୁଙ୍କ ଉତ୍ତମ ସଂଯୋଜନା ତଥା ଅଧ୍ୟାପକ ଅବନିକାନ୍ତ ପାତ୍ର, ଅଧ୍ୟାପିକା ସୁଷମା ମଞ୍ଜରୀ ପାଣିଗ୍ରାହୀ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ, ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ଉତ୍ତମ ରୂପେ ସମ୍ପାଦିତ ହୋଇଥିଲା।

Related posts