ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ସତ୍ୟ, ଅହିଂସା, ତ୍ୟାଗ ଓ ନୈତିକତାର ପ୍ରତୀକ ମହାତ୍ମା ଗାନ୍ଧୀ ଏବଂ ସରଳତା, ଶୃଙ୍ଖଳା ଓ ଦେଶପ୍ରେମର ପ୍ରତୀକ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ରେ ପୂଜ୍ୟପୂଜା ଅନୁଷ୍ଠାନ ଓ ସିଭିଲ ସୋସାଇଟି ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।

ସମାଜସେବୀ ରୋଟାରିଆନ ଗୋଦାବରୀଶ ସାହୁଙ୍କ ସଭାପତିତ୍ୱ ଏବଂ ଶିକ୍ଷାବିତ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ବକ୍ତା ଭାବେ ଯୋଗଦେଇ ଦୁଇ ମହାନ ଜାତୀୟ ନେତାଙ୍କ ଜୀବନ, ଆଦର୍ଶ ଓ ଦେଶପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଗାନ୍ଧୀଜୀଙ୍କ ଜୀବନ କେବଳ ଏକ ଐତିହାସିକ ଅଧ୍ୟାୟ ନୁହେଁ; ଏହା ସତ୍ୟ ଓ ଅହିଂସାର ଏକ ଜୀବନ୍ତ ଦର୍ଶନ ଅନ୍ୟପକ୍ଷରେ, ଲାଲ୍ ବାହାଦୁର ଶାସ୍ତ୍ରୀ ତାଙ୍କ ସରଳ ଜୀବନ, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ମାଧ୍ୟମରେ ସାଧାରଣ ଜୀବନରେ ଅସାଧାରଣ ଆଦର୍ଶର ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ଆଜିର ପିଢ଼ି ପାଇଁ ଉଭୟ ମହାନ ନେତାଙ୍କ ଜୀବନ ଓ ଚିନ୍ତାଧାରା ଏକ ମୂଲ୍ୟବାନ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।

ଗାନ୍ଧୀଜୀଙ୍କ ‘ସତ୍ୟ ଓ ଅହିଂସା’ ଏବଂ ଶାସ୍ତ୍ରୀଜୀଙ୍କ ‘ସରଳତା ଓ ଦେଶସେବା’ର ଆଦର୍ଶକୁ ପାଥେୟ କରି ସମାଜ ଓ ଦେଶ ପାଇଁ ନିଜ ଦାୟିତ୍ୱ ସମ୍ପାଦନ କରିବା ହିଁ ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ଉପସ୍ଥିତ କୈଳାସ ଚନ୍ଦ୍ର ପ୍ରଧାନ, ରଜନୀକାନ୍ତ ଭୂୟାଁ, ସନ୍ତୋଷ ଶର୍ମା, ମାନସ ପଟ୍ଟନାୟକ ପ୍ରମୁଖ ବୁଦ୍ଧିଜୀବୀ ମତପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ  ଭଗବତୀ ଚରଣ ପଟ୍ଟନାୟକ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍ ନିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସିଭିଲ ସୋସାଇଟିର ସଦସ୍ୟ ରଘୁନାଥ ବିଶୋଇ, ଗୋପବନ୍ଧୁ ଲେଙ୍କା ଓ ଜିତେନ୍ଦ୍ର ସେଠୀ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related posts