ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାଜପାର ବରିଷ୍ଠ ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ନେତୃତ୍ୱରେ ଆଜି “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ, ଦିବ୍ୟ ଓ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା” ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ପୁରୁଣା ରାଜବାଟୀ ପର୍ଯ୍ୟନ୍ତ ଆୟୋଜିତ ଏହି ଶୋଭାଯାତ୍ରାରେ ନୟାଗଡ଼ ସହର ଦେଶପ୍ରେମ ଓ ଜାତୀୟତାବୋଧରେ ମୁଖରିତ ହୋଇଉଠିଥିଲା। ଶୋଭାଯାତ୍ରାର ଏକ ବିଶେଷ ଆକର୍ଷଣ ଥିଲା ପ୍ରାୟ ୨,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଅଂଶଗ୍ରହଣ। ମହିଳାମାନେ ପ୍ରାୟ ୨୦୦ ମିଟର ଦୀର୍ଘ ବିଶାଳ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ନୟାଗଡ଼ ସହରର ମୁଖ୍ୟରାସ୍ତା ଦେଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଏଥିସହ ପ୍ରାୟ ୨,୫୦୦ରୁ ଊର୍ଦ୍ଧ୍ୱ ଭାଜପା କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ମୋଟରସାଇକେଲରେ ତ୍ରିରଙ୍ଗା ପତାକା ଲଗାଇ ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରି ପୁରୁଣା ରାଜବାଟୀଠାରେ ପହଞ୍ଚିଥିଲେ। “ଭାରତ ମାତା କୀ ଜୟ”, “ବନ୍ଦେ ମାତରମ୍” ସମେତ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା।

ଏହି ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରାରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ଼ ଜିଲ୍ଲା ଭାଜପା ପ୍ରଭାରୀ ସୁରଥ ବିଶ୍ୱାଳ, ନୟାଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ସ୍ୱାଇଁ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, ମଣ୍ଡଳ ପ୍ରଭାରୀ ଓ ସହ-ପ୍ରଭାରୀ, ଶକ୍ତିକେନ୍ଦ୍ର ପ୍ରମୁଖ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ସଂଗଠକ ଓ ବହୁ ସଂଖ୍ୟକ ଭାଜପା କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।
ଏହି ଅବସରରେ ଜିଲ୍ଲା ସମ୍ପାଦିକା ସାରଳା ସାମନ୍ତରାୟ, ଜିଲ୍ଲା ସମ୍ପାଦିକା ରିଙ୍କିନା ଗୌଡ଼ ଏବଂ ଜିଲ୍ଲା ଉପ-ସଭାପତି ଶ୍ରୀ ମାଧବ ବେହେରାଙ୍କ ସମେତ ବହୁ ଜିଲ୍ଲା ଓ ମଣ୍ଡଳସ୍ତରୀୟ ପଦାଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଶୋଭାଯାତ୍ରାର ସୁଚାରୁ ପରିଚାଳନାରେ ବରିଷ୍ଠ ନେତା ନାସିର ଅହମ୍ମଦ (ନସ), ରଂଜନ ରଶ୍ମି ଜେନା, ପ୍ରମିଳା ମଲ୍ଲିକ, କବିରାଜ ସାହୁ, ଦିଲ୍ଲୀପ ହାତୀ, କେଶବ ପାଲ, ପ୍ରଭାକର ବେହେରା, ରାଜ ପ୍ରଧାନ, ପ୍ରଦୀପ ଆଚାର୍ଯ୍ୟ, ତାପସ ପାଢ଼ୀ, ରମେଶ ପ୍ରଧାନ, ମାଧବ ସାହୁ, ରାଜ ପୃଷ୍ଟି, ଦେବୀ ପ୍ରସାଦ ସାହୁଙ୍କ ସମେତ ବହୁ ଭାଜପା ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ସକ୍ରିୟ ଭୂମିକା ନିର୍ବାହ କରିଥିଲେ।
ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ପରିଶେଷରେ ପୁରୁଣା ରାଜବାଟୀସ୍ଥିତ ଭାଜପା କାର୍ଯ୍ୟାଳୟ ପରିସରରେ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ପାଳନ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶ ବିଭାଜନ ସମୟରେ ଅସୀମ ଯନ୍ତ୍ରଣା, ବିସ୍ଥାପନ ଓ ଜୀବନ ହରାଇଥିବା ଅସଂଖ୍ୟ ନିରୀହ ଲୋକଙ୍କୁ ସ୍ମରଣ କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ଆବଶ୍ୟକ। ତ୍ରିରଙ୍ଗା ଶୋଭାଯାତ୍ରା ଓ ବିଭାଜନ ବିଭୀଷିକା ସ୍ମୃତି ଦିବସ ମାଧ୍ୟମରେ “ଦେଶ ପ୍ରଥମ, ଦେଶର ଏକତା ସର୍ବୋପରି” ବାର୍ତ୍ତା ନୟାଗଡ଼ବାସୀଙ୍କ ନିକଟରେ ପହଞ୍ଚାଯାଇଥିଲା।
