ବୀର ଶହୀଦ ରଘୁ-ଦିବାକରଙ୍କୁ ଶ୍ରଦ୍ଧାଞ୍ଜଳି, ଦେଶଭକ୍ତିରେ ଉତ୍ସବମୁଖର ରଣପୁର
ରଣପୁର, (ନୟାଗଡ଼ ଦର୍ପଣ): ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ରଣପୁରରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ବୀର ଶହୀଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେମାନଙ୍କ ବଳିଦାନକୁ ସ୍ମରଣ କରାଯାଇଥିଲା।
ପରେ ରଣପୁର ନୂଆ ବସ୍ ଷ୍ଟାଣ୍ଡଠାରୁ ପଞ୍ଚୁଦୋଳ ପଡ଼ିଆ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଥିଲା। ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ନାରା ସହ ଶତାଧିକ ଲୋକ ଏହି ଯାତ୍ରାରେ ସାମିଲ ହୋଇଥିଲେ।
ଏହି ତ୍ରିରଙ୍ଗା ଯାତ୍ରାରେ ପୁରୀ ସଂସଦୀୟ କ୍ଷେତ୍ରର ସାଂସଦ ମାନନୀୟ ଡା. ସମ୍ବିତ ପାତ୍ର, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି, ଗୋପାଳପୁର ଜିଲ୍ଲା ପରିଷଦ ଜୋନ୍ ସଦସ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ତରେଇଙ୍କ ସମେତ ସମସ୍ତ ପାରିଷଦ, ରଣପୁର କଲେଜର ଏନ୍ସିସି କ୍ୟାଡେଟ୍, ଛାତ୍ରଛାତ୍ରୀ, ନାରୀ ଶକ୍ତି, ଯୁବ ଶକ୍ତି, ସ୍ଥାନୀୟ ନେତୃବୃନ୍ଦ ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।
ତ୍ରିରଙ୍ଗା ଯାତ୍ରା ସମଗ୍ର ରଣପୁର ସହରରେ ଦେଶଭକ୍ତିର ପରିବେଶ ସୃଷ୍ଟି କରିଥିଲା। ଶହୀଦ ରଘୁ-ଦିବାକରଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଦେଶର ଏକତା, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ନିଆଯାଇଥିଲା।
