ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା: ୬୩ ବିଜ୍ଞାନ ପ୍ରକଳ୍ପରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା–୨୦୨୬ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ଉଦ୍ଭାବନୀ ଶକ୍ତିର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ଦାଶ ଦୀପ ପ୍ରଜ୍ୱଳନ କରି ମେଳାର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସଞ୍ଜୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସହଜିଲ୍ଲା ପ୍ରମୁଖ କେଶବ ଚନ୍ଦ୍ର ରାଉତରାୟ ଆଧୁନିକ ସମାଜରେ ବିଜ୍ଞାନର ଗୁରୁତ୍ୱ ଓ ଉପଯୋଗିତା ସମ୍ପର୍କରେ ଶିଶୁମାନଙ୍କୁ ପ୍ରେରଣାଦାୟକ ବକ୍ତବ୍ୟ ଦେଇଥିଲେ। ଶେଷରେ ଜିଲ୍ଲା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ।

ମେଳାରେ ମୋଟ ୬୩ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ବିଜ୍ଞାନ ଓ ଗଣିତ ପ୍ରଶ୍ନମଞ୍ଚ, ପତ୍ରବାଚନ, ବିଜ୍ଞାନ ପ୍ରୟୋଗ ଓ ମୂର୍ତ୍ତିକଳା ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟର ଅବସରପ୍ରାପ୍ତ ବିଜ୍ଞାନ ଓ ଗଣିତ ଶିକ୍ଷକମାନେ ନିର୍ଣ୍ଣାୟକ ଭାବେ ଅଂଶଗ୍ରହଣକାରୀଙ୍କ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ।

ବିଶେଷ ଆକର୍ଷଣ ସାଜିଥିଲା ଅଷ୍ଟମ ଶ୍ରେଣୀର ଛାତ୍ର ଅଶ୍ୱିନୀ କୁମାର ଗଣ୍ଠିଆଙ୍କ ଦ୍ୱାରା ପ୍ରଦର୍ଶିତ କୃତ୍ରିମ ବୁଦ୍ଧିମତା (AI)ଆଧାରିତ ବିଜ୍ଞାନ ପ୍ରକଳ୍ପ, ଯେଉଁଥିରେ AI ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନର ଉପାୟ ଉପସ୍ଥାପନ କରାଯାଇଥିଲା।

ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଜ୍ଞାନ-ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ। ପ୍ରଧାନାଚାର୍ଯ୍ୟ ସଞ୍ଜୟ କୁମାର ପ୍ରଧାନ, ବିଜ୍ଞାନ ପ୍ରମୁଖ କୃତ୍ତିବାସ ମହାପାତ୍ର ଓ ସମସ୍ତ ଗୁରୁଜୀ-ଗୁରୁମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Related posts