ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଶୁକ୍ରବାର ନୟାଗଡ଼ ଗସ୍ତରେ ଆସି ଦଳର ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ କାର୍ଯ୍ୟକ୍ରମକୁ ନେଇ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି।
ନୟାଗଡ଼ ପୂର୍ତ୍ତ ବଙ୍ଗଳାରେ ଆୟୋଜିତ ବୈଠକରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି ରଣଜିତ ଦାଶ, ବରିଷ୍ଠ ନେତୃବୃନ୍ଦ, ବିଏଲଏ-୧ ଓ ବିଏଲଏ-୨ ସଦସ୍ୟମାନେ ଯୋଗଦେଇଥିଲେ। ଏସଆଇଆର ପ୍ରକ୍ରିୟାରେ ବିଏଲଏ-୨ଙ୍କ ସକ୍ରିୟ ଭୂମିକା ଏବଂ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଆଗାମୀ ଅକ୍ଟୋବର ମାସ ସୁଦ୍ଧା ପଞ୍ଚାୟତ କମିଟି ସମେତ ଦଳର ସମସ୍ତ ସାଙ୍ଗଠନିକ କମିଟି ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଛାତ୍ରଛାତ୍ରୀଙ୍କୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ‘ଛାତ୍ରୋଂ କି ଗୁଞ୍ଜ’ କାର୍ଯ୍ୟକ୍ରମ ଏବଂ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ କିସାନ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି ବୈଠକରେ ଡିସିସି ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ଫକୀର ଚରଣ ମଲ୍ଲ, ବିଭୁପ୍ରସାଦ ମିଶ୍ର, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ପୂର୍ବତନ ଡିସିସି କାର୍ଯ୍ୟକାରୀ ସଭାପତି କମଳ ଚରଣ ସାହୁ, ଡିସିସି ସାଧାରଣ ସମ୍ପାଦକ ପୀତବାସ ଖୁଣ୍ଟିଆ, ସତ୍ୟନାରାୟଣ ସୁରଜଗଦେବ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସୀମ ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ସମେତ ବହୁ ଜୋନ ସଭାପତି ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏହା ସହିତ ଦଶପଲ୍ଲାରେ ମହିଳା କଂଗ୍ରେସ ନେତ୍ରୀ ଉମାରାଣୀ ପାଣିଙ୍କ ବାସଭବନରେ ମଧ୍ୟ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିସିସି ଉପସଭାପତି ତଥା ବିଏଲଏ-୧ ସୁକାନ୍ତ ଶତପଥୀ, ଦଶପଲ୍ଲା ବ୍ଲକ କଂଗ୍ରେସ ସଭାପତି ବୁଲୁ ପରିଡ଼ା, ନୂଆଗାଁ ବ୍ଲକ ସଭାପତି ଅଶୋକ ନାୟକଙ୍କ ସମେତ ବିଭିନ୍ନ ଜୋନ ସଭାପତି ଓ ନେତୃବୃନ୍ଦ ଯୋଗଦେଇ ସଂଗଠନ ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ।
ଗସ୍ତ ଅବସରରେ ଅରବିନ୍ଦ ଦାସଙ୍କୁ ନୟାଗଡ଼ ଓ ଦଶପଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।

