ନୟାଗଡ଼, (ନୟାଗଡ଼ ଦର୍ପଣ): ଚେକ୍ ବାଉନ୍ସ ମାମଲାରେ ନୟାଗଡ଼ ଏସଡିଜେଏମ ଅଦାଲତ ଜଣେ ବ୍ୟକ୍ତିଙ୍କୁ ୬ ମାସ ସଶ୍ରମ କାରାଦଣ୍ଡ ସହ ୭ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି।ମାମଲାରୁ ପ୍ରକାଶ ଯେ, ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମର ଜିତେନ୍ଦ୍ର କୁମାର ଭୂୟାଁ ଲକ୍ଷ୍ମୀପ୍ରସାଦ ଗ୍ରାମର ଅଜୟ କୁମାର ସ୍ୱାଇଁଙ୍କଠାରୁ ୫ ଲକ୍ଷ ୨୦ ହଜାର ଟଙ୍କା ଧାର ନେଇଥିଲେ। ଉକ୍ତ ଟଙ୍କା ଫେରସ୍ତ କରିବା ପାଇଁ ୨୧ ଅକ୍ଟୋବର ୨୦୧୯ରେ ସେ ୫ ଲକ୍ଷ ୨୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। କିନ୍ତୁ ଚେକ୍ଟି ବ୍ୟାଙ୍କରେ ଉପସ୍ଥାପନ ପରେ ବାଉନ୍ସ ହୋଇଥିଲା। ଏହାପରେ ଅଜୟ କୁମାର ସ୍ୱାଇଁ ନୟାଗଡ଼ ଏସଡିଜେଏମ ଅଦାଲତରେ ମାମଲା ରୁଜୁ କରିଥିଲେ। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରିତା ମିଶ୍ରଙ୍କ ଅଦାଲତରେ ମାମଲାର ବିଚାର ହୋଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ବିଚାରକୁ ନେଇ ସୋମବାର ଅଦାଲତ ଜିତେନ୍ଦ୍ର କୁମାର ଭୂୟାଁଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ସଶ୍ରମ କାରାଦଣ୍ଡ ସହ ୭ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ପରିଶୋଧ ନ କଲେ ଅତିରିକ୍ତ ୪ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଅଭିଯୋଗକାରୀ ଅଜୟ କୁମାର ସ୍ୱାଇଁଙ୍କ ପକ୍ଷରୁ ଆଇନଜୀବୀ କାଳୁଚରଣ ସ୍ୱାଇଁ ମାମଲା ପରିଚାଳନା କରିଥିଲେ।
ଚେକ୍ ବାଉନ୍ସ ମାମଲାରେ ୬ ମାସ ଜେଲ୍, ୭.୫୦ ଲକ୍ଷ ଜରିମାନା
