କଙ୍ଗାରୁ କୋର୍ଟ ମାମଲାରେ ଗାଁ ସଭାପତି ଗିରଫ, କୋର୍ଟ ଚାଲାଣ ପରେ ଜେଲ୍

ଓଡ଼ଗାଁ (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ବଡ଼ଦୁରୁପା ଗ୍ରାମରେ କଥିତ କଙ୍ଗାରୁ କୋର୍ଟ ପରିଚାଳନା ଅଭିଯୋଗରେ ଗ୍ରାମ ପରିଚାଳନା କମିଟି ସଭାପତି ସୋମନାଥ ଜାନୀଙ୍କୁ ସୋମବାର ସକାଳେ ଓଡ଼ଗାଁ ପୋଲିସ ଗିରଫ କରିଛି। ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଜଣେ ଅନୁସୂଚିତ ଜନଜାତିର ଭିନ୍ନକ୍ଷମ ନାବାଳିକାଙ୍କୁ ବଳପୂର୍ବକ ଧର୍ଷଣ କରାଯିବା ପରେ ଗର୍ଭବତୀ ହୋଇଥିବା ଅଭିଯୋଗ ରହିଛି। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ୱାର୍ଡ ସଦସ୍ୟ ଅନିରୁଦ୍ଧ ଜାନୀ ବଜାରରୁ ଔଷଧ ଆଣି ନାବାଳିକାଙ୍କୁ ଖାଇବାକୁ ଦେଇ ଜବରଦସ୍ତି ଗର୍ଭପାତ କରାଇଥିବା ଏବଂ ଭ୍ରୂଣର ମୃତ୍ୟୁ ପରେ ସତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଏହି ଘଟଣା ପରେ ବଡ଼ଦୁରୁପା ଗ୍ରାମରେ କଥିତ କଙ୍ଗାରୁ କୋର୍ଟ ବସିଥିଲା। ଗ୍ରାମ ସଭାପତି ସୋମନାଥ ଜାନୀଙ୍କ ନେତୃତ୍ୱରେ ପୀଡ଼ିତାଙ୍କ ପରିବାର ଉପରେ ଦେଢ଼ ଲକ୍ଷ ଟଙ୍କା ଜରିମାନା ଲଗାଯାଇଥିବା ସହ ଏକ ଛେଳି ଦେଇ ପ୍ରାୟ ୫୦ ହଜାର ଟଙ୍କା ବ୍ୟୟରେ ଗ୍ରାମବାସୀଙ୍କୁ ଭୋଜି ଦେବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ରହିଛି।

ଜରିମାନାର ସମସ୍ତ ଅର୍ଥ ଦେଇ ନପାରିବାରୁ ପୀଡ଼ିତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ବାରମ୍ବାର ଜରିମାନା କୋହଳ କରିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ କଥିତ କଙ୍ଗାରୁ କୋର୍ଟ ସେଥିପ୍ରତି କୌଣସି ଗୁରୁତ୍ୱ ଦେଇନଥିବା ଅଭିଯୋଗରେ ଉଲ୍ଲେଖ ରହିଛି।

ପରେ ପୀଡ଼ିତାଙ୍କ ମା’ ଓଡ଼ଗାଁ ଥାନାରେ ଅଭିଯୋଗ ଦାଖଲ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଧର୍ଷଣ ଓ ବେଆଇନ ଗର୍ଭପାତ ଅଭିଯୋଗରେ ୱାର୍ଡ ସଦସ୍ୟ ଅନିରୁଦ୍ଧ ଜାନୀଙ୍କୁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ତଦନ୍ତର ଅଗ୍ରଗତି କ୍ରମରେ କଥିତ କଙ୍ଗାରୁ କୋର୍ଟ ପରିଚାଳନା ଓ ପୀଡ଼ିତ ପରିବାରକୁ ଜରିମାନା ଓ ବାସନ୍ଦ କରିବା ଅଭିଯୋଗରେ ଗ୍ରାମ ସଭାପତି ସୋମନାଥ ଜାନୀଙ୍କୁ ମଧ୍ୟ ଓଡ଼ଗାଁ ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଥିତ କଙ୍ଗାରୁ କୋର୍ଟ ଘଟଣା ସମୟ ସମୟରେ ସାମ୍ନାକୁ ଆସୁଥିବା ବେଳେ ଏହା ଆଇନ ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏଭଳି ବେଆଇନ ବିଚାର ବ୍ୟବସ୍ଥା ବିରୋଧରେ ଓଡ଼ଗାଁ ଥାନା ଆଇଆଇସି ସତ୍ୟନାରାୟଣ ବାରିକଙ୍କ ନେତୃତ୍ୱରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।

Related posts