ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ସଚେତନତା ରଥର ଶୁଭାରମ୍ଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ର ଆନୁଷ୍ଠାନିକ ଶୁଭାରମ୍ଭ ସହ ଏକ ସଚେତନତା ରଥର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ନୟାଗଡ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପ-ନିବନ୍ଧକ, ସମବାୟ ସମିତି ସମୂହର, ନୟାଗଡ ବିଭାଜନ, ଉପ-ନିବନ୍ଧକ ଓ ସହକାରୀ ନିବନ୍ଧକ, ନୟାଗଡଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ନିୟନ୍ତ୍ରିତ ବଜାର କମିଟି ର କର୍ମଚାରୀ ଏବଂ ପ୍ରାଥମିକ କୃଷି ସମବାୟ ସମିତି ର କର୍ମଚାରୀମାନେ ଉପସ୍ଥିତ ଥିଲେ।ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଫସଲ ହାନି ସମୟରେ ଚାଷୀମାନଙ୍କୁ ଆର୍ଥିକ ସୁରକ୍ଷା ଓ କ୍ଷତିପୂରଣ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଦୀର୍ଘ ଚାରି  ଦିନ ଧରି ତା. ୨୧.୦୭.୨୦୨୬  ରିଖ ରୁ ତା ୨୪.୦୭.୨୦୨୬ ରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତ୍ୟେକ ପ୍ୟାକ୍ସ ପରିଦର୍ଶନ କରି ଚାଷୀମାନଙ୍କୁ ଫସଲ ବୀମାର ଆବଶ୍ୟକତା ଓ ସୁଫଳ ସମ୍ପର୍କରେ ସଚେତନ କରାଇବା ଏହାର ମୂଳ ଲକ୍ଷ୍ୟ I ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବାର ଶେଷ ତାରିଖ ୩୧ ଜୁଲାଇ ୨୦୨୬ ଧାର୍ଯ୍ୟ କରାଯାଇଛି। ତେଣୁ ନିର୍ଦ୍ଧାରିତ ତାରିଖ ପୂର୍ବରୁ ନିକଟସ୍ଥ ପ୍ୟାକ୍ସ କିମ୍ବା ଜନ ସେବା କେନ୍ଦ୍ର ସହ ଯୋଗାଯୋଗ କରି ନିଜର ଫସଲ ବୀମାଭୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଚାଷୀଙ୍କୁ ଅନୁରୋଧ କରାଯାଇଛି।

Related posts