ଆଧାର ସଂଶୋଧନ ପାଇଁ ହନ୍ତସନ୍ତ : ୫୦ ଟଙ୍କାର କାମ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ, ସରଳୀକରଣ ପାଇଁ ଧ୍ୟାନ ଦିଅନ୍ତୁ ସରକାର

ନୟାଗଡ଼, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ସମୟରେ ଆଧାର କାର୍ଡ଼ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଅନିବାର୍ଯ୍ୟ ପରିଚୟ ପତ୍ର ଭାବେ ପରିଣତ ହୋଇଛି। ସରକାରୀ ଯୋଜନାର ଲାଭ ଉଠାଇବାଠାରୁ ଆରମ୍ଭ କରି ବ୍ୟାଙ୍କିଂ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସେବାରେ ଆଧାରର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ତେବେ ଆଧାରରେ ଥିବା ନାମ, ଜନ୍ମତାରିଖ କିମ୍ବା ଅନ୍ୟାନ୍ୟ ସୂଚନା ସଂଶୋଧନ କରିବା ପ୍ରକ୍ରିୟାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ପୂର୍ବରୁ ପୋଷ୍ଟ ଅଫିସରେ ମାତ୍ର ୫୦ ଟଙ୍କା ଦେଇ ଆଧାରର ସାଧାରଣ ତ୍ରୁଟି ସଂଶୋଧନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ କେତେକ କ୍ଷେତ୍ରରେ ଆବେଦକଙ୍କୁ ପ୍ରଥମେ ମାଜିଷ୍ଟ୍ରେଟଙ୍କ ନିକଟରୁ ଆଫିଡେଭିଟ୍ (ସତ୍ୟପାଠ) କରିବାକୁ କୁହାଯାଉଛି। ଏଥିପାଇଁ ପ୍ରାୟ ୩୦୦ ଟଙ୍କା ଖର୍ଚ୍ଚ ହେଉଛି।

ଏହାପରେ ସେହି ସତ୍ୟପାଠକୁ ଖବରକାଗଜରେ ବିଜ୍ଞାପନ ଆକାରରେ ପ୍ରକାଶ କରିବାକୁ ପଡ଼ୁଛି, ଯେଉଁଥିପାଇଁ ପ୍ରାୟ ୧,୨୦୦ ଟଙ୍କା ବ୍ୟୟ ହେଉଛି। ଏହା ସହ ଓଡ଼ିଶା ସରକାରଙ୍କ ଗେଜେଟ୍‌ରେ ନାମ ପ୍ରକାଶ ପାଇବା ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡ଼ୁଛି, ଯାହା ପାଇଁ ଅତିରିକ୍ତ ଅର୍ଥ ଖର୍ଚ୍ଚ ହେଉଛି। ଗେଜେଟ୍ ପ୍ରକାଶ ପାଇବାକୁ ପ୍ରାୟ ତିନି ମାସ ସମୟ ଲାଗୁଥିବାରୁ ସାଧାରଣ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି।

ଏଭଳି ଜଟିଳ ପ୍ରକ୍ରିୟା ଯୋଗୁଁ ଅର୍ଥନୈତିକ ଭାବେ ଦୁର୍ବଳ ଓ ସାଧାରଣ ପରିବାରର ଲୋକମାନେ ଅଧିକ ହଇରାଣ ହେଉଛନ୍ତି। ସାମାନ୍ୟ ସଂଶୋଧନ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଲୋକଙ୍କ ଅସନ୍ତୋଷ ବଢ଼ୁଛି।

ଏହି ପରିସ୍ଥିତିରେ ଆଧାର ସଂଶୋଧନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ଜନବନ୍ଧବ କରିବା ସହ ଅନାବଶ୍ୟକ କାଗଜପତ୍ର ଏବଂ ଅତିରିକ୍ତ ଖର୍ଚ୍ଚକୁ କମାଇବା ପାଇଁ ସାଧାରଣ ଲୋକ ଦାବି କରିଛନ୍ତି। ଯଦି ପ୍ରକ୍ରିୟାକୁ ସହଜ କରାଯାଏ, ତେବେ ଲକ୍ଷାଧିକ ଆଧାରଧାରୀ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି।

Related posts