ନୟାଗଡ, (ନୟାଗଡ଼ ଦର୍ପଣ): ଯୁବକମାନେ ଚାହିଁଲେ ସମାଜର ଅନେକ କିଛି ପରିବର୍ତ୍ତନ କରିପାରିବେ। ସେମାନଙ୍କ ଆଗରେ ଅସମ୍ଭବ ଶବ୍ଦ ବହୁ ଦୂର। ଏମିତି କିଛି ଯୁବକ ଆଗକୁ ଆସିଛନ୍ତି ଯେଉଁମାନେ ଅସହାୟ, ନିରାଶ୍ରୟଙ୍କ ମୁହଁରେ ହସ ଟିକିଏ ଫୁଟାଇବା ପାଇଁ ପ୍ରାଣପ୍ରାଣେ ଉଦ୍ୟମରତ। ନିଜ ପକେଟ ଖର୍ଚ୍ଚ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସାହାର୍ଯ୍ୟ ମାଗି ଗରିବଙ୍କ ସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦିନେ କି ୨ ଦିନ ନୁହେଁ, ବରଂ ଦୀର୍ଘ ୧୦ ବର୍ଷ ଧରି ନୟାଗଡ ଜିଲ୍ଲାରେ ଅସହାୟ ଏବଂ ଦୁଃଖିଙ୍କୁ ସେବା ଯୋଗାଇ ଆସୁଛି “ସେବା ଉତ୍ସବ ସମିତି, ନୟାଗଡ଼ “। ଏହି ସେବା ଉତ୍ସବର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ହେଉଛନ୍ତି ଯୁବ ଆଇନଜୀବୀ, ସାମ୍ବାଦିକ ତଥା ସମାଜସେବୀ ଶିବରାମ ମହାପାତ୍ର। ବର୍ଷ ତମାମ ନୁହେଁ,ବରଂ ବର୍ଷକୁ ଗୋଟିଏ ମାସ ସେବା ପାଇଁ ନିଜକୁ ସମର୍ପି ଦେଇଛନ୍ତି। ପୂର୍ବରୁ ସେବା ଯୋଗାଇ ଆସୁଥିଲେ ମଧ୍ୟ ଏଭଳି ଅନୁଷ୍ଠାନ ଗଠନ ପ୍ରୟାସକୁ ପୁରିଛି ୧୦ବର୍ଷ। ଯାହାକୁ ନେଇ ପ୍ରଶଂସାର ସୁଅ ଛୁଟିଛି।

ଶିବରାମ ନୟାଗଡ଼ର ଆଗ୍ରହୀ ଯୁବ ସ୍ଵେଛାସେବୀମାନଙ୍କୁ ଏକାଠି କରି ଗଠନ କରିଛନ୍ତି ଏହି ଅନୁଷ୍ଠାନ। ନୟାଗଡ଼ ଜିଲ୍ଲାର ଅପହଞ୍ଚ ଇଲାକାରେ ପହଞ୍ଚି ଯୋଗାଉଛନ୍ତି ସେବା। ସାଥିରେ ଯୁବ ସ୍ବେଛାସେବୀଙ୍କୁ ନେଇ ପ୍ରତିବର୍ଷ ଦୀର୍ଘ ୧୫ ଦିନ ଧରି ଆୟୋଜନ କରୁଛନ୍ତି ସେବା ଉତ୍ସବ। ଜିଲ୍ଲାର ଯେଉଁ ସବୁ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରୁନାହିଁ, ସେହି ସବୁ ଅନୁନ୍ନତ ଅଞ୍ଚଳରେ ଗାଁକୁ ଗାଁ ବୁଲି ବସ୍ତ୍ର,ଔଷଧ,ଖାଦ୍ୟ ଆଦି ବଣ୍ଟନ କରୁଛନ୍ତି ସେବା ଉତ୍ସବ ସମିତିର ସ୍ଵେଛାସେବୀମାନେ। ପ୍ରଥମେ ନିହାତି ସେବା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ଏକ ଚିଠା ପ୍ରସ୍ତୁତ କରିଥାନ୍ତି ସ୍ଵେଛାସେବୀ। ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଣାଯାଏ ସାମଗ୍ରୀ। ପରେ ଗୋଟିଏ ଗୋଟିଏ ବ୍ଲକ ବୁଲି ଏହାକୁ ବଣ୍ଟନ କରିଥାନ୍ତି।

ଜିଲ୍ଲାର ୮ଟି ଯାକ ବ୍ଲକରେ ବିଶେଷ କରି ଅପହଞ୍ଚ ଅଞ୍ଚଳରେ କଷ୍ଟସାଧ୍ୟ ଜୀବନ ବିତାଉଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପାଖରେ ପହଞ୍ଚୁଛନ୍ତି ଏହି ଯୁବକମାନେ। ଯେଉଁ ଯାଗାକୁ ଗାଡି କିମ୍ବା ସାଇକେଲ ଯାଇ ପାରୁନାହିଁ,ସେହି ସବୁ ଯାଗାକୁ ଚାଲି ଚାଲି ପହଞ୍ଚି ଯାଆନ୍ତି ଏହି ସ୍ବେଛାସେବୀ ମାନେ। ବର୍ତ୍ତମାନ ଲୋକ ଦେଖାଣିଆ ସେବାର ଦୃଶ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ପରିଣତ ହୋଇଛି। ଠିକ ଏହି ସମୟରେ ଶିବରାମ ଓ ତାଙ୍କ ସାଥି ଯୁବକମାନେ ବାସ୍ତବ ସେବାରେ ନିମଗ୍ନ ହେବା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସମସ୍ତେ।
