ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଯୁବ ସମାଜସେବୀ ପ୍ରଦିପ ପ୍ରକାଶ ଆଚାର୍ଯ୍ୟଙ୍କ ଜନ୍ମଦିବସ ଅବସରରେ ଆଚାର୍ଯ୍ୟ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ କେସି କ୍ଲବ୍ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ସମାଜସେବା ଓ ମାନବିକତାର ବାର୍ତ୍ତା ଦେଇ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟକ ଯୁବକ ଓ ସ୍ୱେଚ୍ଛାସେବୀ ଉତ୍ସାହର ସହ ରକ୍ତଦାନ କରିଥିଲେ। ଏହି ଶିବିରକୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନେ ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଏଭଳି ମହାନ ପ୍ରୟାସ ପାଇଁ ଆଚାର୍ଯ୍ୟ ଫାଉଣ୍ଡେସନକୁ ପ୍ରଶଂସା କରିଥିଲେ।

ଏହି ରକ୍ତଦାନ ଶିବିରରୁ ମୋଟ ୬୩ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ଜରୁରୀ ସମୟରେ ରୋଗୀମାନଙ୍କ ଜୀବନ ରକ୍ଷାରେ ସହାୟକ ହେବ। ପ୍ରଦିପ ପ୍ରକାଶ ଆଚାର୍ଯ୍ୟ ଦୀର୍ଘଦିନ ଧରି ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟରେ ସକ୍ରିୟ ରହିଆସୁଥିବାବେଳେ, ନିଜ ଜନ୍ମଦିବସକୁ ସେବା ଓ ମାନବିକତାର ପର୍ବ ଭାବେ ପାଳନ କରିଥିବାରୁ ସ୍ଥାନୀୟବାସିନ୍ଦା ବେଶ ପ୍ରଶଂସା କରିଛନ୍ତି।ସମାଜ ପାଇଁ ତାଙ୍କର ଏହି ନିଷ୍ଠା ଓ ସେବା ମନୋଭାବ ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି ।
