ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଖଣ୍ଡପଡ଼ା ରୋଡ୍ରେ ଥିବା ଏକ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଯାଞ୍ଚ ପରେ କ୍ଲିନିକ୍କୁ ସିଲ୍ କରାଯାଇଛି। ଏହି ଘଟଣା ନୟାଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ଖଣ୍ଡପଡ଼ା ରୋଡ୍ରେ ଅବସ୍ଥିତ ‘ନିରୋଗ କ୍ଲିନିକ୍’ରେ ଅଲଟ୍ରାସାଉଣ୍ଡ ମେସିନ୍ ଚଳାଇବା ପାଇଁ ରବିବାର ଯେଉଁ ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କ ନାମ ପଞ୍ଜୀକୃତ ଥିଲା, ସେହି ଡାକ୍ତରଙ୍କ ପରିବର୍ତ୍ତେ ଶୁକ୍ରବାର ଦିନ ସ୍ୱୀକୃତି ପ୍ରାପ୍ତ ଡାକ୍ତର ରୋଗୀଙ୍କ ଅଲଟ୍ରାସାଉଣ୍ଡ କରୁଥିବା ଅଭିଯୋଗ ସ୍ୱାସ୍ଥ୍ୟ ବିଭାଗ ପାଖରେ ପହଞ୍ଚିଥିଲା।
ଅଭିଯୋଗକୁ ଆଧାର କରି ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କ୍ଲିନିକ୍ରେ ଚଢ଼ାଉ କରିଥିଲେ। ଯାଞ୍ଚ ବେଳେ ବିଭିନ୍ନ ଦସ୍ତାବିଜ ଯାଞ୍ଚ କରାଯିବା ସହ ଅଲଟ୍ରାସାଉଣ୍ଡ ମେସିନ୍କୁ ଯାଞ୍ଚ କରାଯାଇଥିଲା। ଏଥିସହ କ୍ଲିନିକ୍ର କର୍ମଚାରୀମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ତହସିଲଦାର କହିଛନ୍ତି ଯେ, PCPNDT ଆଇନ ଅନୁଯାୟୀ ସମସ୍ତ ନିୟମାବଳୀକୁ ଆଧାର କରି ଘଟଣାର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।ସ୍ୱାସ୍ଥ୍ୟ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ବେସରକାରି ଡାଏଗ୍ନୋଷ୍ଟିକ୍ ସେଣ୍ଟର ଓ ଅଲଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକ ମଧ୍ୟରେ ଚର୍ଚ୍ଚା ବଢ଼ିଛି। ଆଗାମୀ ଦିନରେ ଏପରି ଯାଞ୍ଚ ଆହୁରି କଡ଼ାକଡ଼ି ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
