ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚିକିତ୍ସାଳୟରେ ଦେଖାଦେଇଥିବା ଚରମ ଅବ୍ୟବସ୍ଥା ଓ ଅଚଳାବସ୍ଥାକୁ ନେଇ ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ଉଦବେଗ ପ୍ରକାଶ ପାଇବା ସହ ମେଡିକାଲ ପରିସରରେ ଧାରଣା ଦିଆଯାଇଥିଲା । ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ଆଜି ହସ୍ପିଟାଲରେ ଅଚାନକ ପର୍ଯ୍ୟବେକ୍ଷଣ କରିବା ସମୟରେ ଅନେକ ସଂଘାତିକ ଚିତ୍ର ପଦାକୁ ଆସିଛି।
୧ ଶହ ଶଯ୍ୟା ବିଶିଷ୍ଟ ଏହି ଆଧୁନିକ କୋଠାରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ଅତିକମରେ ୨ ଜଣ ଡାକ୍ତର ରହିବା କଥା, କିନ୍ତୁ ମାତ୍ର ଜଣେ ଡାକ୍ତର ଉପସ୍ଥିତ ଥିଲେ। ଫଳରେ ୨ ଶହରୁ ଊର୍ଦ୍ଧ୍ୱ ରୋଗୀ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଛିଡ଼ା ହୋଇ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ସେହିପରି ସକାଳ ସାଢ଼େ ୯ଟା ବାଜିଥିଲେ ସୁଦ୍ଧା ଶଲ୍ୟ (ସର୍ଜରୀ) ବିଭାଗରେ ଡାକ୍ତରଙ୍କ ଦେଖା ନଥିବା ବେଳେ ବହୁ ସଂଖ୍ୟାରେ ରୋଗୀ ଦୁଇ ଧାଡ଼ିରେ ଅପେକ୍ଷା କରି ରହିଥିଲେ। ମେଡ଼ିସିନ ୱାର୍ଡରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା,ଡାକ୍ତର ବହୁ ବିଳମ୍ବରେ ଆସି ପହଞ୍ଚିଥିଲେ। ମେଡ଼ିସିନ ୱାର୍ଡର ପରିସର ଅତ୍ୟନ୍ତ ଦୁର୍ଗନ୍ଧମୟ ହୋଇପଡ଼ିଥିବା ବେଳେ ଖଟଗୁଡ଼ିକରେ ଦୀର୍ଘ ଦିନ ହେବ ବେଡ଼ସିଟ୍ ବଦଳାଯାଇ ନାହିଁ। ରୋଗୀମାନେ ଅତି ଅପରିଷ୍କାର ଓ ମଇଳା ବେଡ଼ସିଟ୍ ଉପରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ବିକଳ ଚିତ୍ର ଡ଼ାଇରିଆ (ଝାଡ଼ାବାନ୍ତି) ୱାର୍ଡରେ ଦେଖିବାକୁ ମିଳିଥିଲା, ଯେଉଁଠି ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଖଟ ନଥିବାରୁ ସେମାନେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ନୂତନ କୋଠାରେ ୧୫୦ଟି ଏସି ଲାଗିଥିଲେ ସୁଦ୍ଧା ସେଥିରୁ ୫୦ରୁ ଅଧିକ ଏସି ଅଚଳ ହୋଇ ପଡ଼ିରହିଛି।
ଗତ ବର୍ଷ ଅଗଷ୍ଟ ମାସରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ତଥା ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ମେସିନ କିଣାଯାଇ ରଖାଯାଇଛି, ମାତ୍ର ବିଶେଷଜ୍ଞ ଡାକ୍ତର ନଥିବାରୁ ତାହା କେବଳ ଖତ ଖାଉଛି। ଚିକିତ୍ସାଳୟରେ ଉନ୍ନତମାନର ଏକ୍ସ-ରେ ମେସିନ ଥିଲେ ମଧ୍ୟ ଆବଶ୍ୟକ ରେଡିଓଗ୍ରାଫର ନଥିବାରୁ ତାହା ମଧ୍ୟ ଅଚଳାବସ୍ଥାରେ ଅଛି। ଏହାର ସୁଯୋଗ ନେଇ ବାହାର ପ୍ରାଇଭେଟ୍ କ୍ଲିନିକଗୁଡ଼ିକ ଗରିବ ରୋଗୀଙ୍କୁ ଶୋଷଣ କରୁଛନ୍ତି ଏବଂ ଲୋକେ ବାଧ୍ୟ ହୋଇ ଅଧିକ ଟଙ୍କା ଖର୍ଚ୍ଚ କରି ବାହାରେ ଏକ୍ସ-ରେ ଓ ଅଲଟ୍ରାସାଉଣ୍ଡ କରୁଛନ୍ତି। ଅନୁରୂପ ଭାବେ, ଗତ ୫ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇ ପଡ଼ିରହିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏଭଳି ଚରମ ଦାୟିତ୍ୱହୀନତା ବିରୋଧରେ ସାମ୍ବାଦିକ ସଂଘ ପକ୍ଷରୁ ମେଡିକାଲ ପରିସରରେ ପ୍ରତିବାଦ ଓ ଧାରଣା ଦିଆଯାଇଥିଲା।
ଧାରଣା ଖବର ପାଇ ଜିଲ୍ଲା ଚିକିତ୍ସାଳୟ କର୍ତ୍ତୃପକ୍ଷ ତୁରନ୍ତ ସାମ୍ବାଦିକ ସଂଘକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ବେହେରା ସାମ୍ବାଦିକ ସଂଘର ପ୍ରତିନିଧି ଦଳ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ଚିକିତ୍ସାଳୟର ସମସ୍ତ ସମସ୍ୟା, ଅସୁବିଧା ଏବଂ ଅବ୍ୟବସ୍ଥା ଗୁଡ଼ିକୁ ଦୂର କରାଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।
ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆଲୋଚନାରେ ସମ୍ପାଦକ ସୁବାସ ମହାପାତ୍ର, ପୁରୁଷୋତ୍ତମ ମହାପାତ୍ର, ଲୋକନାଥ ମିଶ୍ର, ଗୋକୁଳ ଷଡ଼ଙ୍ଗୀ, ବିକ୍ରମ ସ୍ୱାଇଁ, ସୁଧାକର ମିଶ୍ର, ବିଭୂତି ପଟ୍ଟନାୟକ ଓ ଜିତେନ୍ଦ୍ର ସାହୁ ପ୍ରମୁଖ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ଯଦି ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ନହୁଏ, ତେବେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପୁନର୍ବାର ବୃହତ ଆନ୍ଦୋଳନ ଓ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି।
