କେସି କ୍ଲବ୍‌ ଆନୁକୂଲ୍ୟରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ: ୧୧୫ ରୋଗୀ ଗ୍ରହଣ କଲେ ମାଗଣା ଚିକିତ୍ସା ସେବା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ତଥା ସର୍ବପୁରାତନ ସାମାଜିକ ଅନୁଷ୍ଠାନ ‘କେସି କ୍ଲବ୍‌’ ପରିସରରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟର କେତେକ ପ୍ରତିଷ୍ଠିତ ଓ ସୁନାମଧନ୍ୟ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ।

ଶିବିରରେ ଭୁବନେଶ୍ୱରର ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡା. ଶ୍ରୀତମ ଆଚାର୍ଯ୍ୟ, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡା. ସତ୍ୟବ୍ରତ ସାହୁ, ମୂତ୍ରରୋଗ ବିଶେଷଜ୍ଞ ଡା. ଆଦିତ୍ୟନନ୍ଦ ମହାପାତ୍ର ଏବଂ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ପୁରୁଷୋତ୍ତମ ସ୍ୱାଇଁ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ଦେଇଥିଲେ। ଏଥି ସହ ରୋଗୀ ମାନଙ୍କର ମାଗଣାରେ ରକ୍ତ ଶର୍କରା ଏବଂ ଇସିଜି ପରୀକ୍ଷା ମଧ୍ୟ କରାଯାଇଥିଲା। କେସି କ୍ଲବ୍‌ର ସଭାପତି ଭାଗିରଥି ଦାସ ଓ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂହଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଅଞ୍ଚଳର ମୋଟ ୧୧୫ ଜଣ ରୋଗୀ ଉପସ୍ଥିତ ରହି ସେବା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କ୍ଲବ୍‌ର ଉପସଭାପତି ଭବାନୀ ଶଙ୍କର ଦାସ, ସହ ସମ୍ପାଦକ ଚନ୍ଦନ ମହାପାତ୍ର, କୋଷାଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ରଙ୍କ ସମେତ ବରିଷ୍ଠ ସାମ୍ବାଦିକ ତଥା କ୍ଲବ୍ ସଦସ୍ୟ ରାମକୃଷ୍ଣ ରଥ, ସନ୍ତୋଷ ପଟ୍ଟନାୟକ, ପୂର୍ଣ୍ଣେନ୍ଦୁ ମାନସିଂହ, ଉମାଶଙ୍କର ମିଶ୍ର, ଦେବୀପ୍ରସାଦ ସାହୁ ଓ ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। କେସି କ୍ଲବ୍‌ର ଏଭଳି ଜନହିତକର ଓ ଅଭିନବ ପ୍ରୟାସକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଉଚ୍ଚ ପ୍ରଶଂସା କରାଯାଇଛି।

Related posts