ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ: ବାସୁଦେବ ସାହୁ ସଭାପତି ଓ ଦିଲ୍ଲୀପ ମିଶ୍ର ସଂପାଦକ

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ ଗତକାଲି ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ରୋଟାରୀ ବର୍ଷ ୨୦୨୬-୨୭ ପାଇଁ ସଭାପତି ଭାବେ ରୋଟାରିଆନ ବାସୁଦେବ ସାହୁ ଏବଂ ସଂପାଦକ ଭାବେ ରୋଟାରିଆନ ଦିଲ୍ଲୀପ ମିଶ୍ର ଆନୁଷ୍ଠାନିକ ଭାବେ କ୍ଲବ୍ ର ଦାୟିତ୍ଵ ଗ୍ରହଣ କରିଛନ୍ତି। ବିଦାୟୀ ସଭାପତି ରୋଟାରିଆନ ବସିରନ ବିବି ଏବଂ ସଂପାଦକ ରୋଟାରିଆନ ଅବିନାଶ ସାହୁ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ।

ଉତ୍ସବରେ ମୂଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ ର ପୂର୍ବତନ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି ଯୋଗଦେଇ କ୍ଲବର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ରୋଟାରୀ ଜିଲ୍ଲା ଏଜି ରୋଟାରିଆନ ବିପ୍ର ଚରଣ ପାତ୍ର ମଞ୍ଚାସୀନ ଥିଲେ। ବିଦାୟୀ ସଭାପତି ରୋଟାରିଆନ ବସିରନ ବିବି ସ୍ବାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ସଂପାଦକ ଅବିନାଶ ସାହୁ  ୨୦୨୫-୨୬ ବର୍ଷର ବିସ୍ତୃତ ବିବରଣୀ ଓ ସଫଳ ସେବା କାର୍ଯ୍ୟକ୍ରମର ସୂଚନା ଉପସ୍ଥାପନ କରିଥିଲେ।

ଦାୟିତ୍ଵ ଗ୍ରହଣ କରିବା ପରେ ନୂତନ ସଭାପତି ରୋଟାରିଆନ ବାସୁଦେବ ସାହୁ ଆଗାମୀ ବର୍ଷ ପାଇଁ କ୍ଲବର ମିଶନ ଓ ଭିଜନ ଉପସ୍ଥାପନ କରିଥିଲେ। ସେହିପରି ନୂତନ ସଂପାଦକ ରୋଟାରିଆନ ଦିଲ୍ଲୀପ ମିଶ୍ର ୨୦୨୬-୨୭ ରୋଟାରୀ ବର୍ଷର ଆକ୍ସନ ପ୍ଲାନ୍ ଏବଂ ଆଗାମୀ ସେବା ପ୍ରକଳ୍ପ ଗୁଡ଼ିକ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ।

ଏହି  ଅବସରରେ କ୍ଲବରେ ତିନିଜଣ ନୂତନ ସଦସ୍ୟ ଚିନ୍ମୟ ପଟ୍ଟନାୟକ , ଆଶୁତୋଷ ପାତ୍ର ଏବଂ ଗୁଣନିଧି ଶତପଥୀ ଯୋଗଦେଇ ଆନୁଷ୍ଠାନିକ ଭାବେ ସଦସ୍ୟତା ଗ୍ରହଣ କରିଥିଲେ।  ମୂଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ସମସ୍ତ ନୂତନ ସଦସ୍ୟ ଙ୍କୁ ରୋଟାରୀ ପିନ୍ ପିନ୍ଧାଇ ରୋଟାରୀ କ୍ଲବକୁ ସ୍ଵାଗତ କରିଥିଲେ। ଚଳିତ ବର୍ଷ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ରୋଟାରୀ ପରିବାରର କୃତୀ ଛାତ୍ରଛାତ୍ରୀମାନଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ହୋଇଥିଲେ ତଥାସ୍ତୁ କୁମାର ନାୟକ, ଆଦିତ୍ୟ ଓମକାର ମିଶ୍ର, କେ ଏ ବୈଷ୍ଣବୀ ଓ ଅନ୍ବେଷ ଦାଶ।

ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର, ଫୁଲବାଣୀ, ବାଣପୁର-ବାଲୁଗାଁ ଏବଂ ଭୁବନେଶ୍ବର ରୋଟାରୀ କ୍ଲବର ଅନେକ ସଦସ୍ୟ ଯୋଗଦେଇ ନୂତନ ସଭାପତି ଓ ସଂପାଦକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରୋଟାରିଆନ ପ୍ରବୀର ପୃଷ୍ଟି  ମଞ୍ଚ ପରିଚାଳନା କରିଥିବା ବେଳେ ରୋଟାରିଆନ ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts