ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ନିଷ୍କ୍ରିୟତା ଅଭିଯୋଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେସ୍ ନମ୍ବର ୨୧୮/୨୦୨୬କୁ ନେଇ ନୂଆ ମୋଡ଼ ଆସିଛି। ଘଟଣାରେ ଗୁରୁତର ଆହତ ହୋଇଥିବା କଣ୍ଟାବଣିଆ ଗ୍ରାମର ଗୋବିନ୍ଦ ମହାନ୍ତିଙ୍କ ପରିବାର ପକ୍ଷରୁ ପୋଲିସର ନିଷ୍କ୍ରିୟତା ଏବଂ ଚିକିତ୍ସାରେ ଅବହେଳା ନେଇ ଗୁରୁତର ଅଭିଯୋଗ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଗତ ୧୯ ଜୁନ୍ ୨୦୨୬ ଭୋର ସମୟରେ ଗୋବିନ୍ଦ ମହାନ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପାଲାଗୁଣ୍ଠୁଣି ତୋଟାରେ ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ଏବଂ ପରବର୍ତ୍ତୀ ସମୟରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରିବାରର ଅଭିଯୋଗ ଅନୁସାରେ, ୨୨ ଜୁନରେ ଗୋବିନ୍ଦଙ୍କ ଶାରୀରିକ ଅବସ୍ଥା ଗୁରୁତର ଥିବା ସତ୍ତ୍ୱେ ତାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଥିଲା। ବର୍ତ୍ତମାନ ତାଙ୍କ ବାମ ହାତର ହାଡ଼ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ପଚି ଯାଇଥିବାରୁ ହାତଟି କାଟିବାକୁ ପଡ଼ିପାରେ ବୋଲି ପରିବାର ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି।

ଅଭିଯୋଗ ମୁତାବକ, ଘଟଣାର ପୂର୍ବଦିନ ଗୋବିନ୍ଦ ତାଙ୍କ ଶ୍ୱଶୁର ଘରେ ରାତ୍ରିଯାପନ କରିଥିଲେ ଏବଂ ଶ୍ୱଶୁର ଘରଠାରୁ କିଛି ଦୂରରେ ଏହି ଆକ୍ରମଣ ଘଟିଥିଲା। ପରିବାର ଦାବି କରିଛି ଯେ, ଗୋବିନ୍ଦଙ୍କର ତାଙ୍କ ଶ୍ୱଶୁର ପରିବାର ସହ ପୂର୍ବରୁ ପାରିବାରିକ ବିବାଦ ରହିଥିଲା। ଏହା ସହ ଘଟଣାର କିଛିଦିନ ପୂର୍ବରୁ ସିଧୁ ଓରଫ ମନୋରଞ୍ଜନ ଦାସ, ଯିଏକି ଗୋବିନ୍ଦଙ୍କ ସ୍ତ୍ରୀଙ୍କ ଧର୍ମଭାଇ ବୋଲି କୁହାଯାଉଛି, ଅନ୍ୟ କେତେକଙ୍କ ସହ ମିଶି ତାଙ୍କ ଉପରେ ଏକାଧିକ ଥର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହା ଫଳରେ ଗୋବିନ୍ଦ ମାନସିକ ଭାବେ ମଧ୍ୟ ପ୍ରଭାବିତ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ, ଏହି ଘଟଣାରେ ନାମ ଉଲ୍ଲେଖ ଥିବା ଅଭିଯୁକ୍ତମାନେ ଖୋଲାଖୋଲି ବୁଲୁଥିବା ସତ୍ତ୍ୱେ ଇଟାମାଟି ଥାନା ପୋଲିସ ସେମାନଙ୍କୁ ଗିରଫ କରୁନଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ଉଠିଛି। ପୋଲିସ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଲେ ପରିସ୍ଥିତି ଉଗ୍ରରୂପ ନେବ ବୋଲି ପରିବାର ସହିତ ଗ୍ରାମବାସୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ତେବେ ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ଇଟାମାଟି ଥାନା ପୋଲିସ କିମ୍ବା ସମ୍ପୃକ୍ତ ପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାର ତଦନ୍ତ ଚାଲିଥିବାରୁ ପୋଲିସର ମତାମତ ଆସିବା ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।

Related posts