ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ରୁଦ୍ର ପ୍ରସାଦ ନାୟକଙ୍କ ବଡ଼ ସଫଳତା: ଅଲ୍ ଇଣ୍ଡିଆ ପିଜି ପ୍ରବେଶିକାରେ ଦ୍ୱିତୀୟ, ଜେଏନୟୁ ପାଇଁ ପ୍ରଥମ ସ୍ଥାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ  ଆନୁକୂଲ୍ୟରେ ପରିଚାଳିତ ସର୍ବଭାରତୀୟ ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଦର୍ଶନ ବିଭାଗର ଛାତ୍ର ରୁଦ୍ର ପ୍ରସାଦ ନାୟକ ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ହାସଲ କରି ଓଡ଼ିଶା ତଥା ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ସେ ମୋଟ ୨୫୧ ମାର୍କ ରଖିବା ସହ ଏହି ଫଳାଫଳ ଆଧାରରେ ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରେ ପ୍ରଥମ ରାଙ୍କ ସହ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରୁଦ୍ର ପ୍ରସାଦ ୨୦୨୫-୨୬ ଶିକ୍ଷାବର୍ଷରେ ନିଜ ବିଭାଗରେ ଶ୍ରେଷ୍ଠ ହେବା ସହ ମହାବିଦ୍ୟାଳୟର ସମଗ୍ର କଳା ସ୍ରୋତରେ ଶ୍ରେଷ୍ଠ ସ୍ନାତକ ବିବେଚିତ ହୋଇଥିଲେ।
ରୁଦ୍ରଙ୍କର ଏହି ଅସାଧାରଣ ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ, ଦର୍ଶନ ବିଭାଗର ମୁଖ୍ୟ ଡ. ପ୍ରମୋଦ କୁମାର ଦାଶ, ଅଧ୍ୟାପିକା ମହାଶ୍ଵେତା ମହାନ୍ତି, ଅଧ୍ୟାପକ ଜଗନ୍ନାଥ ମହାରଣାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମୀ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜଣାଇଛନ୍ତି। ରୁଦ୍ରଙ୍କ ଏହି ଗୌରବମୟ ସଫଳତା ପାଇଁ ସମଗ୍ର ଅଞ୍ଚଳରେ ଏବେ ଖୁସିର ଲହରୀ ଖେଳିଯାଇଛି।

Related posts