ଚମ୍ପାଗଡ଼ ପୋଖରୀରୁ ପମ୍ପ ଲଗାଇ ପାଣି ନିଷ୍କାସନ ଅଭିଯୋଗ, ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ନେଇ ଅସନ୍ତୋଷ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାଗଡ଼ ପଞ୍ଚାୟତର ଚମ୍ପାଗଡ଼ ଗାଁର ଏକମାତ୍ର ପୋଖରୀରୁ ତିନୋଟି ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମର ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଗାଧୋଇବା ସମେତ ଚାଷବାସ ପାଇଁ ଏହି ପୋଖରୀ ଉପରେ ନିର୍ଭରଶୀଳ ଥିବାବେଳେ, ଗତ ତିନି ଦିନ ଧରି ପୋଖରୀର ପାଣି ପ୍ରାୟ ସମ୍ପୂର୍ଣ୍ଣ ଶୁଖାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନିଲାମଧାରୀ ଭାସ୍କର ସୁନ୍ଦରାୟଙ୍କ ସମେତ କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ ତିନୋଟି ପମ୍ପ ମାଧ୍ୟମରେ ପୋଖରୀର ପାଣି ନିଷ୍କାସନ କରୁଛନ୍ତି। ଏ ସମ୍ପର୍କରେ ଚମ୍ପାଗଡ଼ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ରଣପୁର ବ୍ଲକର ଜିପିଇଓଙ୍କୁ ପଚାରିବାରୁ ସେମାନେ ଏ ବିଷୟରେ ଅବଗତ ନଥିବା କହିଥିବା ଜଣାପଡ଼ିଛି।

ପୋଖରୀରେ ପାଣିର ପରିମାଣ କମିଯିବା ଫଳରେ ଗ୍ରାମବାସୀମାନେ ଗାଧୋଇବା ଓ ଦୈନନ୍ଦିନ କାମରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଳ୍ପ ଓ ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ କିଛି ଲୋକ ଚର୍ମରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏନେଇ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏପଟେ ଜୁନ୍ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ମୌସୁମୀ ବର୍ଷାର ଦେଖା ନମିଳିବା ଏବଂ ଚଳିତ ବର୍ଷ ବର୍ଷା କମ୍ ହେବାର ଆକଳନ ଥିବା ବେଳେ ଜଳ ସଙ୍କଟ ସମୟରେ ପୋଖରୀକୁ ଶୁଖାଇ ଦିଆଯାଉଥିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି।

ଉଲ୍ଲେଖଯୋଗ୍ୟ ଯେ, ଏହି ପୋଖରୀର ଉନ୍ନତି ପାଇଁ ଅମୃତ ସରୋବର, ବିଧାୟକ ଅନୁଦାନ ପାଣ୍ଠି ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ମାଧ୍ୟମରେ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ତେବେ କାର୍ଯ୍ୟରେ ଅନିୟମିତତା ଏବଂ ସରକାରୀ ଅର୍ଥ ଆତ୍ମସାତ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ଚାଲିଥିବା ବେଳେ, ତଦନ୍ତରୁ ବଞ୍ଚିବା ପାଇଁ ଠିକାଦାର ପୋଖରୀର ପାଣି ଶୁଖାଇବାକୁ ଉଦ୍ୟମ କରୁଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ପ୍ରଶାସନ କିମ୍ବା ଅଭିଯୋଗରେ ନାମ ଉଲ୍ଲେଖ ଥିବା ବ୍ୟକ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related posts