ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ବିଚାରବିମର୍ଶ

ନବନିଯୁକ୍ତ ରାଜ୍ୟ ଓବିସି କଂଗ୍ରେସ ସଭାପତି ସରୋଜ କୁମାର ପ୍ରଧାନଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ବିଭାଗର ନବନିଯୁକ୍ତ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ଏହି ଅବସରରେ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ସହ ଜାତିଭିତ୍ତିକ ସଂଗଠନ ଗଠନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ନେଇ ବିଚାରବିମର୍ଶ କରାଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଅବସରରେ ରାଜ୍ୟ ଓବିସି କଂଗ୍ରେସ ସଭାପତି ସରୋଜ କୁମାର ପ୍ରଧାନ କହିଥିଲେ ଯେ, ରାଜ୍ୟରେ ପଛୁଆବର୍ଗର ପ୍ରାୟ ୫୪ ପ୍ରତିଶତ ଜନସଂଖ୍ୟା ସରକାରୀ ନିଯୁକ୍ତି, ଶିକ୍ଷା ବ୍ୟବସ୍ଥା ଓ ବିଭିନ୍ନ ସରକାରୀ ଯୋଜନାରେ ନ୍ୟାୟସଙ୍ଗତ ଅଧିକାର ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି। ବିଜେଡି ଓ ବିଜେପି ଶାସନ କାଳରେ ପଛୁଆବର୍ଗଙ୍କ ପ୍ରତି ଅବହେଳା କରାଯାଇଥିବା ବୋଲି ସେ ଅଭିଯୋଗ କରିଥିଲେ।କାର୍ଯ୍ୟକ୍ରମରେ ପୂର୍ବତନ ଡିସିସି କାର୍ଯ୍ୟକାରୀ ସଭାପତି କମଳ ଚରଣ ସାହୁ, ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ, ବିଭୁପ୍ରସାଦ ମିଶ୍ରଙ୍କ ସମେତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ଯୁବ ଓ ଛାତ୍ର କଂଗ୍ରେସର ନେତୃବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲାରେ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ଏବଂ ପଛୁଆବର୍ଗଙ୍କ ଅଧିକାର ପ୍ରସଙ୍ଗକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ନେତୃବୃନ୍ଦ ମତପ୍ରକାଶ କରିଥିଲେ।

Related posts