ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟ ସଠିକ୍ ଭାବେ ପରିଚାଳିତ ହେଉନଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁତର ଅଭିଯୋଗ ଉଠାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି ଯେ, ନୟାଗଡ଼ ମୁନିସିପାଲିଟିର ୭୭ ନମ୍ବରରୁ ୯୪ ନମ୍ବର ବୁଥ ପର୍ଯ୍ୟନ୍ତ ଅଧିକାଂଶ ବିଏଲଓ ଏପର୍ଯ୍ୟନ୍ତ ୫୦ ପ୍ରତିଶତ ଘରକୁ ଯାଇନାହାନ୍ତି କିମ୍ବା ପୋଲିଂ ବୁଥରେ ଉପସ୍ଥିତ ରହୁନାହାନ୍ତି। ଶ୍ରୀ ଦାଶଙ୍କ ଅଭିଯୋଗ ଅନୁଯାୟୀ, ବିଏଲଓମାନେ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ବିଏଲଏ-୧ ଓ ବିଏଲଏ-୨ଙ୍କ ସହ ଆଲୋଚନା କରୁନାହାନ୍ତି। ବରଂ ଘରେ ବସି କିଛି ନିର୍ଦ୍ଦିଷ୍ଟ ଦଳର ବିଏଲଏଙ୍କ ପରାମର୍ଶରେ ମନଇଚ୍ଛା ଫର୍ମ ପୂରଣ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ପକ୍ଷରୁ ନିଯୁକ୍ତ ବିଏଲଏ-୧ ଓ ବିଏଲଏ-୨ଙ୍କ ସହ ଏପର୍ଯ୍ୟନ୍ତ କୌଣସି ବିଏଲଓ ଯୋଗାଯୋଗ କରିନଥିବା ସେ କହିଛନ୍ତି।
ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଏଲଓମାନେ ବିଭିନ୍ନ ୱାର୍ଡରେ ଘରକୁ ଘର ଯାଇ ନିର୍ଦ୍ଧାରିତ ନାଗରିକତ୍ୱ ଫର୍ମ ବଣ୍ଟନ କରିନଥିବା ମଧ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ଆଜି ମୁନିସିପାଲିଟି କାର୍ଯ୍ୟାଳୟରେ ଇଆରଓ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ତରବରିଆ ଭାବେ ଦାଖଲ ହୋଇଥିବା ଫର୍ମଗୁଡ଼ିକ ମଧ୍ୟରୁ ପ୍ରାୟ ଦୁଇରୁ ତିନି ହଜାର ସ୍ଥାୟୀ ବାସିନ୍ଦାଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଥିବା ସୂଚନା ମିଳିଥିବା ଶ୍ରୀ ଦାଶ ଦାବି କରିଛନ୍ତି। ବିଏଲଓମାନଙ୍କ ଅବହେଳା କିମ୍ବା କୌଣସି ରାଜନୈତିକ ପ୍ରଭାବରେ ଯଦି ସ୍ଥାୟୀ ଅଧିବାସୀଙ୍କ ନାମ ଭୋଟର ତାଲିକାରୁ କାଟି ଦିଆଯାଏ, ତେବେ ସହରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସହ ନାଗରିକତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଇନ ଅନୁସାରେ ଦାୟିତ୍ୱସମ୍ପନ୍ନ ଭାବେ କାର୍ଯ୍ୟ କରିବାକୁ ବିଏଲଓମାନଙ୍କୁ କଂଗ୍ରେସ ଆହ୍ୱାନ କରିଛି। ତେବେ ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ନୟାଗଡ଼ ମୁନିସିପାଲିଟି କିମ୍ବା ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
