ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ପର୍ଯ୍ୟବେକ୍ଷକ ପ୍ରକାଶ ମିଶ୍ର ଓ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ସୁଦିପ ସାମଲ ବର୍ତ୍ତମାନର ଶିକ୍ଷା ଓ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।
ସେମାନେ କହିଥିଲେ ଯେ, ଗତ ଜୁନ୍ ୧୭ ତାରିଖରେ ରାଜସ୍ଥାନର କୋଟାଠାରେ ଆୟୋଜିତ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହଜାର ହଜାର ପ୍ରତିଯୋଗିତାମୂଳକ ପରୀକ୍ଷାର ଆଶାୟୀ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସେହି ଅବସରରେ ରାହୁଲ ଗାନ୍ଧୀ ଭାରତର ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାକୁ “ଶୋଷଣ କରୁଥିବା ମେସିନ” ବୋଲି ଅଭିହିତ କରିଥିବା ସେମାନେ କହିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ମାତ୍ର ୧.୨ ପ୍ରତିଶତ ଲୋକଙ୍କ ପାଇଁ ଦରମା ପ୍ରାପ୍ତ ଚାକିରିର ସୁଯୋଗ ରହିଛି। ଅନ୍ୟପଟେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ନିଟ୍ (NEET) ପରୀକ୍ଷା ଦେଉଥିବା ବେଳେ ସେମାନଙ୍କ ପରିବାର ଏଥିପାଇଁ ପ୍ରାୟ ୧.୩୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ରାଶି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସମଗ୍ର ବଜେଟ୍ ସହ ସମାନ ବୋଲି ଦାବି କରାଯାଇଛି।
ସେହିପରି NEET, SSC, RRB, UPSC ଏବଂ JEE ଭଳି ପ୍ରମୁଖ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମୋଟ ଖର୍ଚ୍ଚ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ହୋଇଥାଏ। ଏହା ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ମୋଟ ବଜେଟ୍ ସହ ସମାନ ବୋଲି ସେମାନେ ଉଲ୍ଲେଖ କରିଥିଲେ।
ନିଟ୍ ଆଶାୟୀ ଆକାଂକ୍ଷାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ସେମାନେ କହିଥିଲେ ଯେ, ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଉଛି। ଆକାଂକ୍ଷାଙ୍କ ମୃତ୍ୟୁ କୌଣସି ବ୍ୟକ୍ତିଗତ ବିଫଳତା ନୁହେଁ, ବରଂ ବ୍ୟବସ୍ଥାର ବିଫଳତା ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଭବିଷ୍ୟତରେ ଆଉ କୌଣସି ଛାତ୍ରଛାତ୍ରୀ ଏଭଳି ଚରମ ପଦକ୍ଷେପ ନ ନିଅନ୍ତୁ ବୋଲି ସେମାନେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ କୁହାଯାଇଥିଲା ଯେ, କୋଟାରେ ଆୟୋଜିତ ସମାବେଶରେ ହଜାର ହଜାର ଉତ୍ସାହୀ ଛାତ୍ରଛାତ୍ରୀ ଯୋଗଦେଇ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ସମ୍ପର୍କରେ ନିଜର ମତାମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମଟିକୁ ଏଲଇଡି ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧି ଓ ଛାତ୍ରନେତାମାନଙ୍କ ପାଇଁ ପ୍ରସାରଣ କରାଯାଇଥିଲା।
ସାମ୍ବାଦିକ ସମ୍ମିଳନୀରେ ଡିସିସି ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ବିଭୁ ପ୍ରସାଦ ମିଶ୍ର, ଯୁବ ନେତା କମଳ ଚରଣ ସାହୁ, ପ୍ରତୀକ ମହାପାତ୍ର, ଆଲୋକ ପ୍ରଧାନ, ଛାତ୍ରନେତା ଦିଲ୍ଲୀପ କୁମାର ବିଶୋଇ, ଶିବରଞ୍ଜନ ସାହୁ, ଓମ ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ୫ଟି ମନ୍ତ୍ରଣାଳୟର ବଜେଟ୍ ସହ ସମାନ : କଂଗ୍ରେସ
