ମୁଣ୍ଡ ପୋତା ମାଟିଆ କେଳା “ମାଙ୍କୁ” ସମ୍ପ୍ରଦାୟର ଲୋକ ଭିକ୍ଷା ବୃତ୍ତି ବଦଳରେ କଲେ ଝାଡୁ ପ୍ରସ୍ତୁତି

ଓଡଗାଁ, (ନୟାଗଡ଼ ଦର୍ପଣ): ” ଏ ବାବୁ ତୁ ସିନା ଝାଡୁ ତିଆରି ପାଇଁ ସୂତା ଦେଇଦେଲୁ ଆମେ ତିଆରି କରି କରିବୁ କଣ ? ଆମେ ଯାଇ ପାରିବୁନି କୁଆଡେ ଦେବାକୁ ? ଆମଠୁ ନବ କିଏ ?  ” ଏପରି କୋହ ଭରା କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପନ୍ତିଖାରୀଶାସନ ନିବାସୀ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ। ଯେଉଁ ମୁଣ୍ଡ ପୋତା ମାଟିଆ କେଳା କେବେ ବି ଝାଡୁ ବୁଣିବା ଶିଖି ନଥିଲେ ସେମାନଙ୍କୁ ଭିକ୍ଷା ବୃତ୍ତି ଠାରୁ ନିବାରଣ କରି ସ୍ୱଳ୍ପ ଖର୍ଚ୍ଚରେ ଝାଡୁ ତିଆରି କରି ବିକ୍ରି କରେଇ ଦେବାର ଗୋଟିଏ ମାତ୍ର ପନ୍ଥା ବୋଲି ଶିଖାଇଥିଲେ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଶ୍ରୀ ସାହୁ। ଖାଲି ସେତିକି ନୁହେଁ ଝାଡ଼ୁରେ ବନ୍ଧା ଯାଉଥିବା ସୁତୁଲି କୁ ନିଜେ କିଣି ଆଣି ଦେଇଥିଲେ ଶିକ୍ଷକ ଜଣକ। ନିଜ ଗାଡ଼ିରେ ବସାଇ ସମସ୍ତ ଝାଡୁକୁ ନେଇ ନିକଟସ୍ଥ ଓଡଗାଁ ବଜାରରେ ଆସନ୍ତା ତୃତୀୟ ରବିବାର ଦିନ ବିକ୍ରି କରାଇ ଦେବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି ଶିକ୍ଷକ।
  

ଏହି ମୁଣ୍ଡ ପୋତା ମାଟିଆ କେଳା ଯେଉଁ ମାନେ କି “ମାଙ୍କୁ” ଆଦିବାସୀ ସମ୍ପ୍ରଦାୟର ଅଟନ୍ତି ଏମାନେ ବହୁ ବର୍ଷଧରି ରୋହିବାଙ୍କ ପଞ୍ଚାୟତରେ ରହି ଆସିଲେଣି। ଏମାନଙ୍କର କାହାର ଜନ୍ମ ପ୍ରମାଣ ପତ୍ର ନଥିବାରୁ ଏବଂ କେବେ ବି ଲୋକ ଲୋଚନକୁ ଆସୁନ ଥିବାରୁ ଆଧାର କାର୍ଡ ନାହିଁ। ଏମାନେ ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନାରୁ କୌଣସି ଖାଦ୍ୟ ସାମଗ୍ରୀ ପାଉନାହାନ୍ତି। କିନ୍ତୁ ଏମାନଙ୍କ ପାଖରେ ଭୋଟ ପରିଚୟ ପତ୍ର ଅଛି। ଏ ମାନେ ଦରକାର ପଡନ୍ତି କେବଳ ଭୋଟ ଭିକ୍ଷା ବେଳେ। ସରକାରୀ ଡାକ୍ତରଖାନା, ପଞ୍ଚାୟତରେ ଏମାନଙ୍କ ପାଦ କେବେ ପଡ଼ିନାହିଁ। ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସାହୁଙ୍କ ଯୋଗୁଁ ଏମାନଙ୍କ ପିଲାମାନେ କେବଳ ସରକାରୀ ବିଦ୍ୟାଳୟର ସୁବିଧା ପାଇପାରିଛନ୍ତି।

Related posts