ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ପରିସରରେ ଜେଜେବାପା ଜେଜେମା’ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓଡ଼ିଶା ପୂର୍ବପ୍ରାନ୍ତ କୁଟୁମ୍ବ ପ୍ରବୋଧନ ସଂଯୋଜକ ବୈକୁଣ୍ଠ ନାଥ ସାହୁ ଦୀପ ପ୍ରଜ୍ଜ୍ୱଳନ କରି ମା ଶାରଦାଙ୍କ ନିକଟରେ ବିଶ୍ୱ କଲ୍ୟାଣ ଭିକ୍ଷା କରିଥିଲେ। ପ୍ରଧାନାଚାର୍ଯ୍ୟ ପରିଚୟ ପ୍ରଦାନ ଓ ସମ୍ମିଳନୀ ଆୟୋଜନର ଆଭିମୁଖ୍ୟ କଥା କହିଥିଲେ। ମୁଖ୍ୟବକ୍ତା ମହୋଦୟ ଜୀବନରେ ପରିବାର, ବିଦ୍ୟାଳୟ, ସମାଜର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ।

ପରିବାର ଆନନ୍ଦମୟ ହେଲେ ସୁନ୍ଦର ବିଶ୍ୱ ସୃଷ୍ଟି ହେବ। ବାପା ମାଆ ମୂଳଦୁଆ ପକେଇଥାଆନ୍ତି ଓ ଜେଜେବାପା ଜେଜେମା ସେଠାରେ ମୁଖ୍ୟ ଭୂମିକା ନିଭାଇଥାଆନ୍ତି। ଶିଶୁ ହିଁ ଈଶ୍ୱରଙ୍କ ପ୍ରତିରୂପ। ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଯୌଥପରିବାର ବେଶ୍ ସହାୟକ। ପଞ୍ଚପରିବର୍ତ୍ତନ ଯଥା: ଭାଷା, ଭୂଷା, ଭବନ, ଭୋଜନ, ଭଜନ ବିଷୟରେ ବର୍ଣ୍ଣନା କରିଥିଲେ। ଦୈନିକ ଭାଗବତ ପଢ଼ିବା,ସହଭୋଜନ କରିବା, ମିଳିମିଶି ତୀର୍ଥ ଭ୍ରମଣ, ସମାଜରୁ ଭେଦଭାବ ଦୂରୀକରଣ, ପର୍ଯ୍ୟାବରଣର ସୁରକ୍ଷା,ସଂସ୍କୃତି ସୁରକ୍ଷା, ପରିବାର ପ୍ରବନ୍ଧନ, ଗଣମାଧ୍ୟମର ସଦୁପଯୋଗ, କୁସଂସ୍କାର ପ୍ରଥା ଦୂରୀକରଣ ପୂର୍ବକ ସାମାଜିକ ସଂସ୍କାର ଶିକ୍ଷା ଦେଇ ଶିଶୁଙ୍କର ଭବିଷ୍ୟତ କିପରି ଉଜ୍ଜ୍ୱଳମୟ ହୋଇପାରିବ; ସେ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ତା’ ପରେ ଶିଶୁଙ୍କର ଜେଜେବାପା ଓ ଜେଜେମା ନିଜ ନିଜର ଅନୁଭୂତି କହି ଯୁବ ସମାଜକୁ ପଥଭ୍ରାନ୍ତ ନ ହେବାପାଇଁ ପରାମର୍ଶ ଦେଇଥିଲେ।

“ଉତ୍ତମ ଶିକ୍ଷା,ଚରିତ୍ର ନିର୍ମାଣ ନିମନ୍ତେ ଜେଜେବାପା ଜେଜେମା ଙ୍କ ଭୂମିକା ମହାନ୍ ଅଟେ” ବୋଲି ମୁଖ୍ୟବକ୍ତା ଉଦ୍ବୋଧନ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗରୁମାଙ୍କ ସହ ପ୍ରଧାନାଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
