ରଣପୁର, (ନୟାଗଡ଼ ଦର୍ପଣ): ଓଡିଶାର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମ ଚେତନା ପରିଷଦ ଆନୁକୂଲ୍ୟରେ ଧରିତ୍ରୀ ମାତାକୁ ଆସନ୍ନ ବିପଦରୁ ସୁରକ୍ଷା ଦେବା ନିମନ୍ତେ ‘ଧରିତ୍ରୀ ମାତା ପାଇଁ ରବିବାର’ ନାମରେ ଏକ ସମୟ ଉପଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାଗଡ଼ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନବାଡି ଚତୁପାର୍ଶ୍ଵରେ ଆମ୍ବ, ବଉଳ, ଵେଲ, ନିମ୍ବ ଆଦି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯିବା ସହିତ ନିକଟସ୍ଥ ପୁଷ୍କରିଣୀରୁ ବିଲାତି ଦଳ ସଫା କରାଯାଇଥିଲା। ପରେ ଆଖ ପାଖ ଗ୍ରାମର ପରିବେଶ ପ୍ରେମୀଙ୍କୁ ନେଇ ଏକ ଜନସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର ସମ୍ପାଦକ କବି ସୁକାନ୍ତ ଚନ୍ଦ୍ର ନନ୍ଦ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ନିଜ ନିଜ ଅଞ୍ଚଳର ଚାଷ ଜମି, ଜଙ୍ଗଲ, ଜୀବଜନ୍ତୁ ଙ୍କ ସୁରକ୍ଷା ସୁନିଶ୍ଚିତ କଲେ ହିଁ ଧରିତ୍ରୀ ମାତାର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ପରିଷଦ ପକ୍ଷ ରୁ ପରିବେଶ ସୁରକ୍ଷା ନିମନ୍ତେ ନିରନ୍ତର ଭାବେ ଚାରା ରୋପଣ କରିଆସୁଥିବା ଏହି ଅଞ୍ଚଳର ପାଞ୍ଚ ଜଣ ବୃକ୍ଷ ପ୍ରେମୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ନିକଟସ୍ଥ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଆସିଥିବା ୫୦ରୁ ଉର୍ଦ୍ଧ୍ବ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପରିଷଦ ର କୋଷାଧକ୍ଷ ହୃଷିକେଶ ନନ୍ଦ, ସଭ୍ୟ ବିଶ୍ୱନାଥ ପ୍ରଧାନ, ସଭ୍ୟ ଲଳିତ ମୋହନ ଗୁମାନସିଂହ, କୁମାର ଜନ୍ମେଞ୍ଜୟ ଓ ସଭ୍ୟ ଅଭିମନ୍ୟୁ ମାର୍ଥା,ଗଣେଶ୍ୱର ମାନ୍ଧାତା, ପ୍ରବୀଣ କୁମାର ଦାସ, ନୀଳକଣ୍ଠ ଦାସ, ନିରଞ୍ଜନ ମାନସିଂହ, ସୁଶିଲ ଦଳସିଂହରାୟ, ପ୍ରଦୀପ ସେନାପତି,ରଶ୍ମିତା ବେହେରା ପ୍ରମୁଖ ପରିଚାଳନା କରିଥିଲେ।

