ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଉଦ୍ଘାଟିତ ହୋଇ ଯାଇଛି। କ୍ଲବର ଉପଦେଷ୍ଟା ସୌଦାଗର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶରଣକୁଳ ଅଞ୍ଚଳରେ କୁନୁ କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନାର ଅୟରାରମ୍ଭ କରିଛି। ଆଜିର ଉଡ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ନୟାଗଡ଼ ଜିଲ୍ଲାର ସୁନାମଧନ୍ୟ ସୁସାହିତ୍ୟିକ ଡ. ସୁରେଶ ଚନ୍ଦ୍ର ବରାଡ଼ । ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆରମ୍ଭ କରିଥିଲେ। ତତ୍ପରେ ଆଜିର ପ୍ରତିଯୋଗୀତା ୧୦୦ ମିଟର ଦୋୈଡ଼, ଲମ୍ବଡ଼ିଆଁ, ସୃଜନିକା, ଝୋଟିଚିତା, ଦଉଡ଼ିଡ଼ିଆଁ, ସଂଗୀତ, ମୁରୁଜ, ଆଦି ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆନନ୍ଦ ଓ ଆଲୋକର ଉତ୍ସବ ଅଙ୍କୁରାୟନ ପ୍ରତିବର୍ଷପରି ଆଜି ପୂବାର୍ହ୍ଣ ଠିକ୍ ୮.୩୦ମିନିଟ ଆରମ୍ଭ ହୋଇଥିଲା। ବନ୍ଧୁ ସଂଗଠନ ଦ୍ଵାରା ୨୦୦୭ ମସିହାରୁ ନିରବଛିନ୍ନ ଭାବେ ଆୟୋଜିତ ହୋଇଆସୁଥିବା ଏହି କାର୍ଯ୍ୟକ୍ରମ ପାଇକା ନଦୀପଠା, ଲଙ୍କାପଡା (ଜଗତସିଂହପୁର) ଓ ନୟାଗଡ଼ର ଶରଣକୁଳ ଗ୍ରୀନକ୍ଳବ(ହରିହରପୁର) ଠାରେ ଏକା ସମୟରେ ତିନିଦିନ ଧରି ଚାଲି ୧୯ ତାରିଖ ରେ ଉଦଯାପିତ ହେବ। ଅଙ୍କୁରାୟନରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ପୂର୍ବରୁ ନିଜର ନାମ ଅନ୍ଲାଇନରେ ପଂଜିକରଣ କରିଥିଲେ। ଏଥିରେ ଓଡିଶା ତଥା ବିଦେଶରେ ରହୁଥିବା ଓଡିଆ ପିଲାମାନେ ମଧ୍ୟ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ୨୯ ଟି ପ୍ରତିଯୋଗିତା ଛଡା ସବୁବର୍ଷ ପରି କାହାଣୀ, ଗୀତ, ଖେଳ ମାଧ୍ୟମରେ ଶିଶୁପ୍ରାଣରେ ଭାବ ଜାଗରଣ ନିମିତ୍ତ ଆନନ୍ଦକେନ୍ଦ୍ର ଓ ବିଶେଷ ବ୍ୟକ୍ତିତ୍ଵ ମାନଙ୍କ ସହ ଅଳ୍ପ ଗଳ୍ପ ମଧ୍ୟ ଅନୁଷ୍ଠିତ ହେବ।

ଚଳିତ ବର୍ଷ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ନୟାଗଡ଼ ବ୍ଲକର ବିଦ୍ୟାଳୟ ଓ କଲେଜରୁ ୧୦୫୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମକୁ ଲୋକନାଥ ପ୍ରଧାନ, ମଙ୍ଗୁଳି ସ୍ବାଇଁ, ବଇ ନାୟକ, ଶିବ ଶଙ୍କର ମହାରଣା, କାଳୁ ପ୍ରଧାନ , କୋଷାଧକ୍ଷ କୈଳାସ ମହାରଣା, ମଙ୍ଗଳା ନାୟକ, ଯୋଗଗୁରୁ ବୈକୁଣ୍ଠ ପ୍ରଧାନ, ଟୁଲୁ ମହାନ୍ତି, ଶରତ ଚନ୍ଦ୍ର ବରାଡ଼, ବାବୁ ସାହୁ, ହିମାଂଶୁ ମହାନ୍ତି, ସିଲୁ ମହାନ୍ତି, ବାବୁଲା ସ୍ବାଇଁ , ଲିଙ୍ଗରାଜ ବରାଡ଼, ରାଜୀବ ପ୍ରଧାନ, ବିପ୍ଳବ ମହାନ୍ତି, ଲକ୍ଷ୍ମୀଧର ଜେନା, ପ୍ରହଲ୍ଲାଦ ଜେନା, ରୀନା ପ୍ରଧାନ, ବବି ଜେନା, ଗୀତା ପ୍ରଧାନ, ଛାୟା ସ୍ବାଇଁ, ପ୍ରମିଳା ସ୍ବାଇଁ, ଶାନ୍ତି ଲତା ମହାରଣା, ରେଣୁବାଳା ପ୍ରଧାନ, ରୁମା ପ୍ରଧାନ ପ୍ରମୁଖ ଗ୍ରୀନକ୍ଳବର ସଦସ୍ୟସଦସ୍ୟାମାନେ ସୁନ୍ଦରଭାବେ ପରିଚାଳନା କରିଥିଲେ। ଗ୍ରୀନକ୍ଳବର ସଂପାଦକ କୁମାର ବରାଡ଼ ସଂଯୋଜନା କରିଥିଲେ।
