ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ୩୧ତମ ବାର୍ଷିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଲେଖକ ପରିଷଦର ୩୧ତମ ବାର୍ଷିକ ଉତ୍ସବ ନୟାଗଡ଼ ବ୍ଲକ ସଭା ଗୃହରେ ବେଶ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦବାନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସୁ ସାହିତ୍ୟିକ ତଥା ଗାଳ୍ପିକ ସତ୍ୟବାଦୀ ବଳିୟାରସିଂ ଯୋଗଦାନ କରି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସାହିତ୍ୟିକ ମାନଙ୍କୁ ଅତିଥିମାନେ ମାନପତ୍ର ଏବଂ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହି କ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଐତିହାସିକ ସତ୍ୟବାଦୀ ବଳିୟାରସିଂହଙ୍କୁ ନୟାଗଡ଼ ସାରସ୍ୱତ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଉମରକୋଟର ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ଲକ୍ଷ୍ମୀକାନ୍ତ ବାହିନୀପତିଙ୍କୁ ନୟାଗଡ଼ ସାରସ୍ୱତ ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ବରିଷ୍ଠ ନାଟ୍ୟକାର ଗଦାଧର ନନ୍ଦଙ୍କୁ ଗୋବିନ୍ଦ ଶୁରଦେଓ ନାଟ୍ୟ ସମ୍ମାନ,ବରିଷ୍ଠ ଗାଳ୍ପିକ, ନାଟ୍ୟକାର ତଥା ଔପନ୍ୟାସିକ ବିଶ୍ୱନାଥ ମହାପାତ୍ରଙ୍କୁ ଦୁର୍ଗାମାଧବ ମିଶ୍ର ଗଳ୍ପ ସମ୍ମାନ, କବି କଳ୍ପଦ୍ରୁମ ମାଧବ ସାମନ୍ତରାୟଙ୍କୁ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା କବି ସମ୍ମାନ, ବିଶିଷ୍ଟ ଶିଶୁ ସାହିତ୍ୟିକା ସୁକାନ୍ତି ମହାନ୍ତିଙ୍କୁ ନୟାଗଡ଼ ଶିଶୁ ସାହିତ୍ୟ ସମ୍ମାନ, ବିଶିଷ୍ଟ ବ୍ୟଙ୍ଗ କବି ଗିରିଶ ରଞ୍ଜନ ସାହୁଙ୍କୁ ଉତ୍କଳ ଘଣ୍ଟ କବି ଯଦୁମଣି ବ୍ୟଙ୍ଗ ସମ୍ମାନ,କଥାଶିଳ୍ପୀ ତଥା ନିର୍ଦ୍ଦେଶକ ଓଡ଼ିଆ ମିଡ଼ିଆ ପ୍ରା.ଲି ଶୁଭ୍ରାଂଶୁ ପଣ୍ଡାଙ୍କୁ ନୟାଗଡ଼ ଯୁବ ସାରସ୍ୱତ ପ୍ରତିଭା ସମ୍ମାନ,ନୟାଗଡ଼ର ସୌମ୍ୟା ସ୍ୱୟଂପ୍ରଭାଙ୍କୁ ନୟାଗଡ଼ ନବ ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି ଅବସରରେ ଜିଲ୍ଲା ଲେଖକ ପରିଷଦର ବିଶେଷାଙ୍କ ‘ମୁଖପତ୍ର’କୁ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଥିଲେ ।

ଏହି ଅଧିବେଶନରେ ଶତାଧିକ କବି ଉପସ୍ଥିତ ରହି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଗତ ରାତ୍ରରେ ଲେଖକ ପରିଷଦର ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ଡ. ବିଜୟ ଶତପଥୀଙ୍କ ରଚିତ ଏବଂ ଡ. ଆଶୁତୋଷ ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ଭିନ୍ନ ସ୍ୱାଦର ନାଟକ ‘ଏଇ ଯେ ସୁରୁଜ ଉଏଁ’ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିଅମରେ ମଞ୍ଚସ୍ଥ ହୋଇଥିଲା। ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲିକଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଆୟୋଜିତ ଏହି ବାର୍ଷିକୋତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ କବି ଏବଂ ଲେଖକମାନେ ଯୋଗଦାନ କରିଥିଲେ ।

Related posts