ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ତରଫରୁ ଭୁବନେଶ୍ୱର ସ୍କାଉଟ ଗାଇଡ଼ର ମୁଖ୍ୟ କାର୍ଯ୍ୟାଳୟରେ 18 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଚାଲିଥିବା “ଉଡାନ” କ୍ୟାମ୍ପରେ ନୟାଗଡ଼ ଜିଲ୍ଲାରୁ ସ୍ଥିରୀକୃତ ହୋଇ ଓଡଗାଁ ବ୍ଲକର ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବୀରେନ୍ଦ୍ର କୁମାର କୋରକୋରାଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଏହାସହିତ ଭାରତ ସ୍କାଉଟ ଏବଂ ଗାଇଡ଼ର ଉପସଭାପତି ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ର ମୁଖ୍ୟ କମିଶନର ଡ଼ଃ କାଳିପ୍ରସାଦ ମିଶ୍ର ଏବଂ ଓଡିଶା ଭାରତ ସ୍କାଉଟ ଗାଇଡ଼ର ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଉକ୍ତ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟାରାଣୀ ନାୟକଙ୍କୁ ସ୍ବର୍ଣ୍ଣ ପଦକ ସହିତ ଅଙ୍କିତା ନାୟକଙ୍କୁ ରୌପ୍ୟ ପଦକ ପ୍ରଦାନ କରି ସମ୍ମାନିତ କରିଛନ୍ତି।

ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଦିବାସୀ ନୃତ୍ୟ କରି ପାଠ ପଢିବା, ମଦ ଛାଡିବା ସହିତ ଜଙ୍ଗଲ ନିଜ ମାଟି ମା ହୋଇଥିବାରୁ ଜଙ୍ଗଲ ସୁରକ୍ଷା କରିବା ଭଳି ସଚେତନତା ବାର୍ତ୍ତା ପ୍ରେରଣ କରି ପ୍ରଶଂସିତ ହୋଇଥିଲେ। ଉକ୍ତ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ସନ୍ତୋଷ କୁମାର ସାହୁ, ଅବନ୍ତୀ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଓଡଗାଁ ଗୋଷ୍ଠି ଶିକ୍ଷାଧିକାରୀ ପିଣ୍ଟୁ କୁମାର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ମଲ୍ଲିକ, ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ, ବନଲତା ବେହେରା ଓ ସନ୍ଧ୍ୟାରାଣୀ ରାଉତ ଏବଂ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ସମ୍ପାଦକ ତଥା ଜିଲ୍ଲା ଶାରୀରିକ ନିରୀକ୍ଷକ ଅନିଲ କୁମାର ଦାଶ ସମସ୍ତ ସ୍କାଉଟ ଗାଇଡ଼ଙ୍କୁ ଶୁଭେଚ୍ଛାବାର୍ତ୍ତା ପ୍ରଦାନ କରିଛନ୍ତି।
