ଅବସରପ୍ରାପ୍ତ ଶିକ୍ଷକ ସଂଘର ବାର୍ଷିକୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ):ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ପଞ୍ଚାୟତ ଅଧିନସ୍ଥ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଘର ଷଷ୍ଠ ବାର୍ଷିକୋତ୍ସବ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଳା ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଦିପେଶ ପ୍ରସାଦ,ସରପଞ୍ଚ ସ୍ଵପ୍ନେଶ୍ୱରୀ ସେଠୀ, ସମିତି ସଭ୍ୟା ଗୋଲାପରାଣୀ ସେଠୀ, ଆଇନଜୀବୀ ପ୍ରମୋଦ କୁମାର ବିଶ୍ୱାଳ, ସମାଜ ସେବୀ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ନିଜର ବକ୍ତବ୍ୟ ମାଧ୍ୟମରେ ବଶିଷ୍ଠ ନାଗରିକ ମାନେ କିପରି ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜର ଜୀବନ ବିତାଇବେ ତାହା ଉପରେ ବିଶେଷ ଗୁରୁତ୍ୱାରୋପ କରିବା ସହିତ ପ୍ରତି ମୁହୂର୍ତ୍ତରେ ସାହାଯ୍ୟର ହାତ ବଢାଇବେ ବୋଲି ଅତିଥି ମାନେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ପକ୍ଷରେ ସ୍ଥାନୀୟ ସରପଞ୍ଚ ସଂଘର ଗୃହ ନିର୍ମାଣ  ପାଇଁ ଦୁଇଲକ୍ଷ ପଚିଶ ହଜାର ଟଙ୍କା ତାଙ୍କ ନିଜସ୍ଵ ପାଣ୍ଠିରୁ ମଞ୍ଜୁର କରିଥିଲେ। ଶିକ୍ଷକ ସଂଘ ସଭାପତି ଡ. ସୁକାନ୍ତି ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭା ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇ ଥିଲା। ବିଭିନ୍ନ ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସଂଘ ଗଠନରେ ମୂଳଦୁଆ ପକାଇଥିବା ପାଞ୍ଚଜଣ ଶିକ୍ଷକଙ୍କୁ ଅତିଥି ମାନେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ସଭା ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ରାଜ କିଶୋର ନାୟକ ସଂପାଦକୀୟ ବିବରଣୀ ପାଠ ଏବଂ ଶିକ୍ଷକ ନିରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related posts