ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସନ୍ଧ୍ୟା ୬ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ ସ୍ଥିତ ମଣିଭଦ୍ରା ପାହାଡ଼ର ପାଦଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହାଯଜ୍ଞ ଆସନ୍ତା ନଭେମ୍ବର ୨୩ତାରିଖ ଠାରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ୟାପି ଅନୁଷ୍ଠିତ ହେବ । ବିଗତ ବର୍ଷ ଭଳି ଚଳିତ ବର୍ଷ ଏହି ମହାଯଜ୍ଞକୁ କିପରି ସରସ ସୁନ୍ଦର ଓ ସୂଚାରୁରୂପେ ପାଳନ କରାଯିବ ସେଥି ନିମନ୍ତେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ,ଲାଇନ ବିଭାଗର ଅଧିକାରୀ ଓ ଓଁ ମା ସତ୍ୟ ଶାନ୍ତି ସେବାଶ୍ରମର ସଦସ୍ୟମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଆଗାମୀ ତା.୧୦.୧୧.୨୦୨୫ରିଖ ଦିବା ୧୧ଘଟିକା ସମୟରେ ପରବର୍ତ୍ତୀ ବୈଠକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗଣିଆ, ତହସିଲଦାର ଗଣିଆ, ଟ୍ରଷ୍ଟି ସଦସ୍ୟ, ନିର୍ବାଚିତ ସ୍ଥାନୀୟ ଜନପ୍ରତିନିଧି ଏବଂ ଯାତ୍ରା ସହ ସଂପୃକ୍ତ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ କରାଇବାକୁ ସ୍ଥିର କରାଗଲା । ଏତଦ୍ ବ୍ୟତୀତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର, ଆମ୍ବୁଲାନସ ଓ ପାରାମେଡିକାଲ କର୍ମଚାରୀ ଯୋଗାଇ ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ମେଡିକାଲ ଅଫିସର ଗଣିଆଙ୍କୁ ସ୍ୱାସ୍ଥ୍ୟସେବା ଉପରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଅନୁରୋଧ କରାଗଲା । ରାସ୍ତା ଘାଟ ମରାମତି, ପାନୀୟଜଳ ଓ ପରିମଳ ଯୋଗାଇଦେବା ସହ ପର୍ଯ୍ୟାପ୍ତ ପରିମାଣରେ ହାଲୋଜେନ୍ ବଟିକା ଯୋଗାଇ ଦେବା ନିମନ୍ତେ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ନୟାଗଡ଼ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଗଲା ।

ସେହିପରି ଅଗ୍ନିଶମ ଅଧିକାରୀଙ୍କୁ ଦମକଳବାହିନୀ ସହିତ ଆଗ୍ନିକ ଗାଡ଼ି, ଡଙ୍ଗାରେ ଯାତ୍ରୀମାନଙ୍କର ନିରାପତ୍ତା ନିମନ୍ତେ ଲାଇଫ୍ ଜ୍ୟାକେଟ୍ ଯୋଗାଇଦେବା ସହ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ନିର୍ବାହୀ ଯନ୍ତ୍ରୀ ଞଚଉଙଊଖ ଗଣିଆଙ୍କୁ ପରାମର୍ଶ ଦେଇଥିଲେ । ଯଜ୍ଞସ୍ଥଳରେ ମାଦକଦ୍ରବ୍ୟ ସେବନ କିମ୍ବା ବିକ୍ରୟ ନିଷେଧ କରାଯିବା ସହିତ ଆମିଷଦ୍ରବ୍ୟ ବିକ୍ରୟ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯିବା ପାଇଁ ସ୍ଥିର କରାଗଲା । ଅଧିକ୍ଷକ ଅବକାରୀ ବିଭାଗ, ନୟାଗଡ଼ ଏବଂ ଭାରପ୍ରାପ୍ତ ଥାନା ଅଧିକାରୀ,ଗଣିଆ ଯଥାବିଧି କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଥିଲେ । ଖାଦ୍ୟର ମାନ ପରୀକ୍ଷଣ ନିମନ୍ତେ ଖାଦ୍ୟ ନିରୀକ୍ଷକ, ନୟାଗଡ଼ଙ୍କୁ ପରାମର୍ଶ ଦେଇଥିଲେ । ନଦୀ ଗର୍ଭରୁ ଯାତ୍ରାସ୍ଥଳକୁ ଯାତାୟତର ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ କରିବା ପାଇଁ ରାସ୍ତା ଓ ଗୃହ ନିର୍ମାଣ, ଦଶପଲ୍ଲାଙ୍କୁ ପରାମର୍ଶ ଦିଆଯାଇଥିଲା । ଯାତ୍ରାସ୍ଥଳକୁ ସୁରକ୍ଷିତରେ ଯାତାୟତ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ, ନୟାଗଡ଼ଙ୍କୁ ବସ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଥିଲା । ଓରମାସ ତରଫରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମେଳାରେ ବିଭିନ୍ନ ଷ୍ଟଲ ପକାଇବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା । ଯଜ୍ଞସ୍ଥଳ ସଫା ରଖିବା ସହ ପରିବେଶ ସଫା ରଖିବାକୁ ସ୍ଥାନୀୟ ଗ୍ରାମର ସ୍ୱେଚ୍ଛାସେବୀ, ପଲିଥିନ ବ୍ୟବହାର ନ କରିବାକୁ ଟ୍ରଷ୍ଟି ଏବଂ ସଂପୃକ୍ତ ଅଧିକାରୀ ଦୃଷ୍ଟି ଦେବା ପାଇଁ ନିଷ୍ପତ୍ତି ନିଆଗଲା ।
ଏହି ବୈଠକରେ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାମୟୀ ଆଚାର୍ଯ. ସମସ୍ତ ଲାଇନ ବିଭାଗର ଅଧିକାରୀ ଏବଂ ଟ୍ରଷ୍ଟୀ ସଦସ୍ୟମାନେ  ଯୋଗ ଦେଇଥିଲେ ।

Related posts