ରାଷ୍ଟ୍ରୀୟ ଏକତା ପଦଯାତ୍ରା ଉପଲକ୍ଷେ ଜିଲ୍ଲାସ୍ତରୀୟ କମିଟିର ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ପଦଯାତ୍ରା ଆୟୋଜନ ସଂପର୍କରେ ଏକ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ସାଂସଦ ଡା.ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ (୩୧ ଅକ୍ଟୋବର ରୁ ୨୫ନଭେମ୍ବର ପର୍ଯ୍ୟନ୍ତ) ସମଗ୍ର ଦେଶରେ “ଏକତା ମାର୍ଚ୍ଚ” ଅନୁଷ୍ଠିତ ହେବ । ଏହି ଜିଲ୍ଲାସ୍ତରୀୟ ପଦଯାତ୍ରା ଆସନ୍ତା ତା.୧୮.୧୧.୨୦୨୫ରିଖ ଦିନ ରଣପୁର ପଞ୍ଚୁଦୋଳ ପଡ଼ିଆସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ ହେବ । ପ୍ରାରମ୍ଭରେ ସ୍ୱାଗତ ଭାଷଣ,ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପଦଯାତ୍ରା ଶୁଭାରମ୍ଭ କରାଯିବ ଏବଂ ପଦଯାତ୍ରାର ସ୍ଲୋଗାନ ରହିବ “ଏକ ଭାରତ, ଆତ୍ମ ନିର୍ଭର ଭାରତ” । ଏହି ପଦଯାତ୍ରାରେ ୩୦୦୦ରୁ ୫୦୦୦ଲୋକ ସାମିଲ କରାଯିବା ପାଇଁ ସ୍ଥିର କରାଯାଇଛି ଏବଂ ପଦଯାତ୍ରୀମାନେ ୮ ରୁ ୧୦କି.ମି. ରାସ୍ତା ଯାତ୍ରା କରିବେ। ପ୍ରତି ୧କି.ମି. ବ୍ୟବଧାନରେ ପାନୀୟ ଜଳର ବ୍ୟବସ୍ଥା ରହିବା ସଙ୍ଗେ , ପ୍ରତି ୨.୫କି.ମି. ବ୍ୟବଧାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଯଥା- ଏକ ପେଡ୍ ମା କେ ନାମ ଅଭିଯାନ ଅନ୍ତର୍ଗତ ବୃକ୍ଷ ରୋପଣ, ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବାକୁ ସ୍ଥିର କରାଯାଇଛି ।

ପଦଯାତ୍ରାର ଶେଷ ସ୍ଥାନରେ ଲୋକମାନଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ, ବସ ସେବା ମଧ୍ୟ ଯୋଗାଇ ଦିଆଯିବ। ଏହି ପଦଯାତ୍ରା  ସାଂସଦଙ୍କ ନେତୃତ୍ୱରେ ସଂଘଟିତ ହେବ। ଏହି ପଦଯାତ୍ରା ପାଇଁ ବିଭିନ୍ନ କମିଟି ଗଠନ କରାଯିବ ଯଥା- ମୋବିଲାଇଜେସନ କମିଟି, ସ୍ୱଚ୍ଛ କମିଟି, ମିଡିଆ କମିଟି, ସାଂସ୍କୃତିକ କମିଟି, ଫାଷ୍ଟଏଡ୍ କୋଅର୍ଡିନେଶନ କମିଟି, ବ୍ରାଣ୍ଡିଂ କମିଟି ଇତ୍ୟାଦି। ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବିଜୟାନନ୍ଦ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Related posts