ରୋହିବାଙ୍କରେ ଓଡଗାଁ ମଣ୍ଡଳ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କରେ ଓଡଗାଁ ମଣ୍ଡଳ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡଗାଁ ବ୍ଲକର ୪ ଟି ଜୋନ ଯଥା ଓଡଗାଁ, ଶରଣକୁଳ, ଗୋଡିପଡା ଓ ରୋହିବାଙ୍କରୁ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରି ଆସିଥିବା ୧୬୮ଜଣ ପ୍ରତିଯୋଗୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ରୋହିବାଙ୍କ ପଞ୍ଚାୟତ ସରପଞ୍ଚ ମହନ୍ତ ବେହେରା, ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଆଚାର୍ଯ୍ୟ, ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ, କୋମଣ୍ଡ  ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳ ପ୍ରାୟ ବିଭିନ୍ନ ବିଦ୍ୟାଳୟରୁ ୧୮ଜଣ ଶାରୀରିକ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିବାବେଳେ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।

ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଶାରୀରିକ କ୍ରୀଡା ଶିକ୍ଷକ ଅଜୟ କୁମାର ବାରିକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ପତାକା ଉତ୍ତୋଳନ କରି ଥିବାବେଳେ ସମ୍ମାନିତ ଅତିଥି ଶ୍ରୀ ଆଚାର୍ଯ୍ୟ, ଶିକ୍ଷୟିତ୍ରୀ ବାରିକ ଓ ଶ୍ରୀ ମିଶ୍ର ଖେଳରେ ଶୃଙ୍ଖଳା ସହିତ ଅନ୍ୟ ପ୍ରତି ଶତ୍ରୁ ମନୋଭାବ ନ ରଖି ଅକୃତକାର୍ଯ୍ୟ ହୋଇଥିବା ଶିକ୍ଷାର୍ଥୀ ପ୍ରତିଦିନ ଅଭ୍ୟାସ ରଖିଲେ ନିଜେ ପ୍ରଥମ ସ୍ଥାନ ଅଧିକାର କରିପାରିବାରେ ସମର୍ଥ ହେବ ବୋଲି ମତ ରଖିଥିଲେ। ଏହା ପରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ନେଇ ଶପଥପାଠ କରାଯାଇଥିଲା। ଏହାପରେ ସମସ୍ତ ଅତିଥି, କ୍ରୀଡା ଶିକ୍ଷକ ଓ ଛାତ୍ର ଛାତ୍ରୀମାନଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ଶିକ୍ଷକ ତଥା ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ।

୧୪ବର୍ଷରୁ କମ ବାଳକ ବିଭାଗରୁ ଗୋଡିପଡା ଜୋନରୁ ସ୍ୱାଗତ ସାମନ୍ତରାୟ, ଶୁଭଙ୍କର ସାହୁ, ସୌମ୍ୟରଞ୍ଜନ ସାହୁ, ସହିତ ଓଡଗାଁ ଜୋନ ରୁ ଶୁଭମ କୁମାର ବରାଡ଼ ଜିଲ୍ଲା ସ୍ତରକୁ ଉତୀର୍ଣ୍ଣ ହୋଇଥିବାବେଳେ ୧୪ବର୍ଷରୁ କମ ବାଳିକା ବିଭାଗରୁ ଗୋଡିପଡା ଜୋନରୁ ଲିଜା ପ୍ରଧାନ, ଲିପି ମିଶ୍ର ଓ ଶୁଭଲକ୍ଷ୍ମୀ ବିଶ୍ୱାଳ ସହିତ ଓଡଗାଁ ଜୋନରୁ ଦେବସ୍ମିତା ସାହୁ ଜିଲ୍ଲା ସ୍ତରକୁ ଉତୀର୍ଣ୍ଣ ହୋଇଛନ୍ତି। ସେହିପରି ୧୭ବର୍ଷରୁ କମ ବାଳକ ବିଭାଗରୁ ଶରଣକୂଳ ଜୋନ ରୁ ଓମ ପ୍ରକାଶ ନାୟକ ଓ ମଣ୍ଟୁ ବେହେରା, ରୋହିବାଙ୍କ ଜୋନରୁ ନିରାକାର ପ୍ରଧାନ, ଓଡଗାଁ ଜୋନରୁ ହାପି ସ୍ୱାଇଁ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିବାବେଳେ ୧୭ବର୍ଷରୁ କମ ବାଳିକା ବିଭାଗରୁ ରୋହିବାଙ୍କ ଜୋନରୁ ଅଙ୍କିତା ନାୟକ, କ୍ରିଷ୍ଣା ବେହେରା, ଲିକିନା ମହାକୁଡ଼, ଓଡଗାଁ ଜୋନରୁ ଶୁଭ୍ରବିନ୍ଦୁ ଚନ୍ଦନ ଜିଲ୍ଲାସ୍ତରକୁ ଉନ୍ନୀତ ହୋଇଛନ୍ତି। ସମସ୍ତ ୧୬ଜଣ ପ୍ରତିଯୋଗୀ ଆସନ୍ତା ୮ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ ନବଘନପୁର, ନୟାଗଡ଼ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ ଭାଗନେବେ ବୋଲି ଜଣାପଡିଛି। ସମସ୍ତ ପ୍ରତିଯୋଗୀମାନଙ୍କୁ ଓଡଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ମଲ୍ଲିକ ଶୁଭେଚ୍ଛା ପ୍ରଦାନ କରିବା ସହିତ ଜିଲ୍ଲା ସ୍ତରରେ ଯେପରି ଭଲ ପ୍ରଦର୍ଶନ ଦେଖାଇବେ ସେଥିପ୍ରତି ମଙ୍ଗଳ କାମନା କରିଛନ୍ତି।

Related posts