ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ତରଫରୁ ଆଜି “ହର୍ ଘର୍ ତ୍ରିରଙ୍ଗା, ହର୍ ଘର୍ ସ୍ବଚ୍ଛତା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାଉନସିଲର, କାର୍ଯ୍ୟାଳୟ କର୍ମଚାରୀ, ବରିଷ୍ଠ ନାଗରିକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମାର୍କେଟ ଓ ସ୍ଵଚ୍ଛତା ସଂଗଠନର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ଅଭିଯାନରେ ସାମିଲ୍ ହୋଇ ପ୍ରତି ଘରେ, ପ୍ରତି ଦୋକାନୀଙ୍କୁ ପତାକା ବଣ୍ଟନ କରିବା ସହିତ ସଚେତନତାର ବାର୍ତ୍ତା ଓ ସ୍ଲୋଗାନ ଦେଇଥିଲେ । ପ୍ରତି ସରକାରୀ-ବେସରକାରୀ ଓ ଦୋକାନ ଗୁଡିକରେ ଓଡ଼ିଆରେ ନାମଫଳକ ଲେଖିବାକୁ ପରାମର୍ଶ ଦିଆଯାଇଥିଲା ।

ଆଜି ସକାଳ ୮ଟା ସମୟରେ ଏହି ସଚେତନତା ପଦଯାତ୍ରା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଠାରୁ ବାହାରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଓ ସେଠାରୁ ମାର୍କେଟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏ ସବୁ ରାସ୍ତାର ଉଭୟ ପାର୍ଶ୍ଵ ସ୍ଥାନଗୁଡ଼ିକ ସଫେଇ କର୍ମଚାରୀଙ୍କ ଦ୍ବାରା ସଫେଇ କରାଯାଇଥିଲା । ନିଜ ଘର ଓ ପରିବେଶକୁ ସଫା ରଖିବାକୁ ଅନୁରୋଧ କରାଯାଇଥିଲା। ସ୍ୱଚ୍ଛତା ଠାରୁ ପରିମଳ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଜାତିର ପିତା ମହାତ୍ମାଗାନ୍ଧୀ ଯେଉଁ ମହତବାଣୀ ଦେଇଥିଲେ ତାହାକୁ ତର୍ଜମା କରିବା ଆବଶ୍ୟକତା ରହିଛି ବୋଲି ଗୁରୁତ୍ୱାରୋପ କରଯାଇଥିଲା ।

ଅଧ୍ଯକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଜାନକୀ ବଲ୍ଲଭ ଜେନା, ଦୀନବନ୍ଧୁ ଗୁରୁ, ସ୍ଵୟଂ ପ୍ରଭା ମିଶ୍ର, ମଞ୍ଜୁ ଗୁମାନ ସିଂ, ଲକ୍ଷ୍ମୀଧର ମହାପାତ୍ର, ସମାଜସେବୀ ରୁଦ୍ର ପ୍ରସନ୍ନ ରଥ, ଗଦାଧର ଜେନା ଓ ଅଖିଳ କୁମାର ସ୍ଵାଇଁ ପ୍ରମୁଖ ରାଲିରେ ସାମିଲ୍ ହୋଇଥିଲେ । ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ କନିଷ୍ଠ ପରିମଳ ବିଶେଷଜ୍ଞ ଦୀପକ କୁମାର ଜେନା ଓ ତାଙ୍କ ଟିମ୍ ପୂର୍ଣ୍ଣ ସହଯୋଗ କରିଥିଲେ। ଆଜି ସହର ସଫେଇ ଦ୍ବାରା ସାଧାରଣରେ ଖୁସି ପ୍ରକଟ କରାଯାଇଥିବା ଦେଖିବାକୁ ମିଳିଛି।