ରଣପୁର, (ନୟାଗଡ଼ ଦର୍ପଣ): ଚମ୍ପାଗଡ ହାଇସ୍କୁଲ ଛାତ ଉପରେ ୫ଜଣରୁ ଉର୍ଦ୍ଧ୍ବ ଶ୍ରମିକ କାମ କରୁଥିବା ସମୟରେ ଚମ୍ପାଗଡ ଗ୍ରାମର ୬୭ବର୍ଷୀୟ ସୁବଳ ରଣା ନାମକ ଜନୈକ ବ୍ୟକ୍ତି ଛାତ ଉପରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି ।ଛାତରୁ ପଡ଼ିବା ପରେ ତାଙ୍କୁ ଚାନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଠିକାଦାର ଲାଇସେନ୍ସ ନଥାଇ ମଧ୍ୟ ଚମ୍ପାଗଡ ଗ୍ରାମର ମନ୍ମଥ ଭୋଳ ନାମକ ଜଣେ ଠିକାଦାର ଏହି କାମ କରୁଥିଲେ। ନିର୍ମାଣ ଶ୍ରମିକମାନଙ୍କୁ ଠିକାଦାର ସୁରକ୍ଷା ନିର୍ଦେଶାବଳି ଅନୁଯାୟୀ କାମ କରାଇବା ପାଇଁ ସରକାରଙ୍କ ନିୟମ ରହିଥିଲେ ମଧ୍ୟ ରଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ସାହୁ ଓ ଠିକାଦାର ଏସବୁକୁ ନ ମାନି ଲୋକମାନଙ୍କୁ କାମରେ ଲଗାଉଥିଲେ ।
ଏଠାରେ ୬୭ବର୍ଷର ଲୋକମାନଙ୍କୁ କାମରେ କମ୍ ବେତନ ଦେଇ ଠିକାଦାର କାମ କରାଉଥିଲେ । ଏହି କାମଟି କରୁଥିବା ଠିକାଦାରଙ୍କର କୌଣସି ଠିକାଦାରୀ ଲାଇସେନ୍ସ ନ ଥାଇ ମଧ୍ୟ ସେ କିଭଳି ଭାବେ ଏହି କାର୍ଯ୍ୟ କରୁଥିଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲା ପରେ ସତ୍ୟାସତ୍ୟ ପଦାକୁ ଆସିବ ଏବଂ ଦୋଷୀ ଦଣ୍ଡ ପାଇବ। ଚମ୍ପାଗଡ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ସାହୁଙ୍କ ଅନୁପସ୍ଥିତିରେ କିଭଳି ଭାବେ ଏହି କାର୍ଯ୍ୟ କରାଯାଉଥିଲା ଏହାକୁ ନେଇ ଚମ୍ପାଗଡ ଗ୍ରାମବାସୀ ଅଭିଯୋଗ କରିଛନ୍ତି । କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ସାହୁଙ୍କୁ ପଚାରିବାରୁ ସେ କୁହନ୍ତି ଯେ ମୁଁ କିଛି ଜାଣିନି। ଏଠାରେ ପ୍ରଶ୍ନ ଉଠୁଛି ଯେ ସେ ଜାଣି ନାହାଁନ୍ତି ନା ଜାଣିଶୁଣି ନ ଜାଣିଲା ଭଳି ଅଭିନୟ କରୁଛନ୍ତି । ଏହି କାମ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ସାହୁ ଓ ଠିକାଦାରଙ୍କ ମିଲିଭଗତରେ ଚାଲୁଥିଲା ।