ଖଣ୍ଡପଡା,(ନୟାଗଡ଼ ଦର୍ପଣ):- ପ୍ରକୃତିର ସୌନ୍ଦର୍ଯ୍ୟକୁ ନଷ୍ଟ କରି ଚାଲିଛନ୍ତି ଖଣ୍ଡପଡା ଅଞ୍ଚଳର କିଛି ଅସାଧୁ ପଥର ମାଫିଆ। ବେଆଇନ ଭାବେ ଜଙ୍ଗଲକୁ ନଷ୍ଟ କରି ପଥର କଟାଯାଉଥିବାରୁ ଦିନକୁ ଦିନ ଅମ୍ଳଜାନ କମିବାରେ ଲାଗିଛି ବୋଲି ସାଧାରଣରେ ଦେଖା ଦେଇଛି ଅସନ୍ତୋଷ। ବାରମ୍ବାର ଅଭିଯୋଗ ହେଉଥିବା ବେଳେ ମାଫିଆ, ନେତା ଏବଂ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ଚୋରା କାରବାର ହେଉଥିବା ସ୍ଥାନୀୟ ଅଞ୍ଚଳର ସମାଜସେବୀମାନେ ଅଭିଯୋଗ କରିଛନ୍ତି। ଖଣ୍ଡପଡା ତହସିଲ ଅଞ୍ଚଳରେ ପଥର, ବାଲି ଆଦି ବିପୁଳ ପରିମାଣରେ ଚୋରା ଚାଲାଣ ହେଉଥିବା ନେଇ ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି। ଗତକାଲି ରାତିରେ ଖଣ୍ଡପଡାଥାନା ପୋଲିସ ପାଟ୍ରୋଲିଂ ସମୟରେ ଶାଳଝରିଆ ନିକଟସ୍ଥ ପୋଲ ପାଖରେ ଏକ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଛି।

ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ, ଶାସକ ଦଳର ଛତ୍ରଛାୟା କିମ୍ବା ଅଘୋଷିତ ନିର୍ଦେଶରେ ଏହି ପଥର, ବାଲି ମାଫିଆମାନେ ଖଣ୍ଡପଡା ଅଞ୍ଚଳରେ ରାଜ କରୁଛନ୍ତି ଏବଂ ସରକାରୀ ଅଧିକାରୀମାନେ କିଛି ନଜାଣିଲା ପରି ଅଭିନୟ କରୁଛନ୍ତି। ଜବତ ଟ୍ରାକ୍ଟରର ସମସ୍ତ କାଗଜ ପତ୍ର ଯଦି ଠିକ ଅଛି ତେବେ ଟ୍ରାକ୍ଟରକୁ ଥାନାକୁ ଅଣାଗଲା କାହିଁକି ଏବଂ ଚାଳକ ଖସି ଯାଇଥିଲା ନା’ ତାକୁ ଖସେଇ ଦିଆଗଲା। ଏ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଇଛି।
