ପ୍ରତ୍ୟକ ଦିନ ହସ୍ତାକ୍ଷର ଲେଖନ୍ତୁ : ଐତିହାସିକ ସତ୍ୟବାଦୀ ବଳିଆରସିଂହ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ଦିନ ଉତ୍ସାହମୟ ଭାବରେ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରକୁ ସାଜସଜ୍ଜା ହୋଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ସରପଞ୍ଚ ବ୍ରଜମୋହନ ରାଉତରାୟ, ମୁଖ୍ୟ ବକ୍ତା ଭାବେ ଐତିହାସିକ ସତ୍ୟବାଦୀ ବଳିଆରସିଂହ, ସମ୍ମାନିତ ଅତିଥି ଭାବେ ଖଇରପଲ୍ଲୀ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲିପି ବେହେରା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିବାକର ପରିଡା ପ୍ରମୁଖ ଯୋଗ ଦେଇଥିଲେ।
ଉତ୍ସବର ଉଦ୍ଘାଟନ ପରମ୍ପରାଗତ ଦୀପ ପ୍ରଜ୍ଜ୍ଵଳନ ଦ୍ୱାରା କରାଯାଇଥିଲା। ଏହା ପରେ ଅତିଥିମାନଙ୍କୁ ଫୁଲ, ଚନ୍ଦନ, ଉପଢୌକନ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟତ୍ରୀ ରୋଜାଲିନ ସାମନ୍ତରାୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରାଯାଇଥିଲା, ଯେଉଁଥିରେ ପୃଷ୍ଠପୋଷଣ, ଶିକ୍ଷା, ଖେଳ, ସଫଳତା କ୍ଷେତ୍ରରେ ପ୍ରାପ୍ତିଗୁଡ଼ିକ ବର୍ଣନା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ, ସଂଗୀତ, ନୃତ୍ୟ ଏବଂ ବାଦ୍ୟବୃନ୍ଦ ପ୍ରସ୍ତୁତି ଉପସ୍ଥିତ ଥିବା ଦର୍ଶକଙ୍କ ମନ ମୋହିଥିଲା। ଶିକ୍ଷକ ପର୍ଶୁରାମ ସାହୁ ମଞ୍ଚ ସଂଯୋଜନା କରିଥିଲେ।
ଉତ୍ସବରେ ବକ୍ତବ୍ୟ ଦେଇ ସରପଞ୍ଚ ଶ୍ରୀ ବ୍ରଜମୋହନ ରାଉତରାୟ ଭବିଷ୍ୟତକୁ ମଜବୁତ କରିବାକୁ ହେଲେ ଶିକ୍ଷାକୁ ଗୁରୁତ୍ୱ ଦେଇ ଗୁରୁଜୀ ଗୁରୁମାଙ୍କ ଉପଦେଶକୁ ପାଳନ କରିବା ପାଇଁ ଉପଦେଶ ଦେଇଥିଲେ। ମୁଖ୍ୟ ବକ୍ତା ଐତିହାସିକ ଶ୍ରୀ ବଳିଆରସିଂହ ଛାତ୍ରଛାତ୍ରୀମାନଙ୍କୁ ଇତିହାସ ଓ ସଂସ୍କୃତିର ଗୌରବ ଉପରେ ଅବଗତ କରି ନୂଆ ଶିଖ୍ୟାନୀତି ବିଷୟରେ ଅଲୋଚନା କରିଥିଲେ। ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ରଣା ବର୍ଷିକ ଉତ୍ସବ କେବଳ ଏକ ଉତ୍ସବ ନୁହେଁ, ଏହା ଏକ ସୁଯୋଗ ଯେଉଁଠି ଆମେ ଆମର ଅତୀତ ଅଭିଜ୍ଞତା ଓ ଭବିଷ୍ୟତ ଲକ୍ଷ୍ୟକୁ ଏକତ୍ର କରି ବିଚାର କରି ଆଗକୁ ବଢିବାର ଏକ ପନ୍ଥା ବୋଲି କହିଥିଲେ।
ଉତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପୁରସ୍କାର ବଣ୍ଟନ। ଏହି ଅବସରରେ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥିମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହା ପରେ ମୁଖ୍ୟ ଅତିଥିଙ୍କ ଭାଷଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଫୂର୍ତି ସୃଷ୍ଟି କରିଥିଲା । ତା’ପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ପରିଡା ଉତ୍ସବ ସଫଳ ହେବା ଉପରେ କୃତଜ୍ଞତା ଜଣାଇଥିଲେ।
ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ବେହେରା, ଜିତେନ୍ଦ୍ର କୁମାର ସାହୁ, ଯୋଗେନ୍ଦ୍ର ଭାତ୍ରା, ପୁଷ୍ପାଞ୍ଜଳି ସେଠୀ, ରୋଜାଲିନ ମହାପାତ୍ର, ରଶ୍ମିତା ଦାସ, ସସ୍ମିତା ବେହେରାଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟସଦସ୍ୟା ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ପ୍ରଫୁଲ କୁମାର ଦେବତା ଧନ୍ୟବାଦ ପ୍ରଦାନ କରିଥିଲେ।
