ଅବଶୋଷରେ ଅବଶେଷ

ସୁଦୂର ନ୍ୟୁଜଲାଣ୍ଡର ଅକଲାଣ୍ଡ ସହରରେ ରହୁଥିବା ଆମ ନୟାଗଡ଼ର ପୁଅ ପ୍ରିୟଦର୍ଶୀ ଚନ୍ଦନ (ଦୀପୁ) ପଠାଇଥିବା ଏକ କବିତା ‘ଅବଶୋଷରେ ଅବଶେଷ’


କଳା ମଚ ମଚ ରାତି
ଛାତିରେ ଜୁଇ, ମନରେ ତାତି
ହାଲୁକା ପବନରେ ଖେଳୁଚି ବଳକା ନିଶ୍ୱାସ
ପଂହରୁଛି ଧାସ
କୁହୁଳୁଛି ସଂକୁଲୁଛି
ଯୁଇକାଠର ଶେସାଂସ
ଆକାଶଟା ଅନେଇଚି କି ଘୁମେଇଚି
ଧୂଁଧୂଳିୟା ତ ଚାରିପାଖେ
ପ୍ରଶ୍ୱାସ ଠଂଉ ନିଶ୍ୱାସ ଭାରି ରାହା ରୋକେ |

ହଁ ତାଜା ଶବଟାଏ ଜଳୁଚି ; ନିଁଆତାକୁ ଗିଳୁଚି
କାହାର ଆତ୍ମୀୟ ନିଜସ୍ୱ କାହା ସମ୍ବଳ ସର୍ବସ୍ବ
ଲୁହର ବନ୍ୟାରେ ଉବୁଟୁବୁ ଜ୍ଞାତି
ସ୍ମୃତି ସାଉଁଟି ସାହସ ବାଣ୍ଟନ୍ତି
ଦବିଲା ଦବିଲା ମନ ଥକାହରା ମସ୍ତିସ୍କ ଛଟପଟ ଛାତି
ସମ୍ପର୍କ ଶିକୁଳିକଡ଼ି ହତଚକିତ କୋଳାହଳ ବାକି
କାଲିର କଇଂ କଇଂ ନେହୁରା ଆଇସିୟୁ ଭିତରେ
ପିପିଇ କିଟ ପିନ୍ଧା ଦେବଦୁତ ପାଖରେ
ଆଜି କିନ୍ତୁ ଏକଦମ ଚୁପ ପରତ୍ମାର ନିର୍ଦେଶରେ
ଶରୀର ତା ବଦଳୁଚି ଆତ୍ମାରେ
ସେଲ୍ଫି ତତ୍ପର ହସ ମୁଁହ ସ୍ଥିର ଗମ୍ଭୀର
ଫୁଲହାର ଟଙ୍ଗା ଫୋଟଫ୍ରେମ ପାଇଁ ନିଥର |

ମୁଁ ମଶାଣିର ଧୂଁଆ ଦେଖୁଛି
ପଦ ପଦାବୀ ଗାଦି ସବୁ ରଦି
ଇମ୍ପୋର୍ଟେଡ଼ କାର ମଲ୍ଟିଷ୍ଟୋରୀ ଘର ବେକାର
ମୁଁ ମୋର ଜମିଦାରୀ ଅଖଣ୍ଡ ପୌରୁଷ୍ୟତ୍ୱ
ଗର୍ବ ହିଂସା ଅହମିକା ଶ୍ରେଷ୍ଠ ପ୍ରତିଦ୍ବନ୍ଦୀ ଅଭିପ୍ରେତ
ସ୍ୱାର୍ଥଜାବୁଡା ପରିଭାଷା ଅକ୍ଷୟ ଅସରନ୍ତି ଆଶା
ଚିରଅତୃପ୍ତ ଅହେତୁକ ଅସୁମାର ନିଶା
ସମ୍ପତି ତାଲିକା ଫାଇଲି ବଂସୋତ୍ତର ଅସଜଡ଼ା ଉଇଲି
ସବୁ ନିମିଷକେ ପାଉଁଶେ ମିଶୁଛି |

ସମୟ ନିଃଶବ୍ଦେ ମୁଁହ ଲୁଚାଇ ହସୁଛି
ଅନ୍ତରତ୍ମାର ପାଦଚିହ୍ନ ମଣିଷପଣିଆ ମଲାଜହ୍ନ
ଅସମୟରେ ଆଉଁସିଦେଇଥିବା ହାତ
ଅବେଳାରେ ସାହାରା ଦେଇଥିବା ଛାତ
ଭାଙ୍ଗିପଡିଥିବା ମଥାକୁ ସମ୍ଭାଳି ଧରିଥିବା ଛାତି
କାନଡ଼େରି ଶୁଣି ଶୁଣି ପୁଏଇଁ ଥିବା ରାତି
ନିସର୍ତ୍ତେ ଭଲପାଇବାର ରୀତି
ନୀରବେ ମନ ଜିଣିବାର କୀର୍ତି
ସତେକି କୁହୁଳିଚି ଅନତି ଦୂରେ
ଆଉ କାହା ଉପତ୍ୟକାରେ ଅନୁରକ୍ତିର ଆଁଚରେ
ସେନ୍ହରେ ଭକ୍ତିରେ ପ୍ରୀତିରେ ବଳକା ସ୍ମୃତିରେ

Related posts