ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଛଅଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ହାସ୍ୟରସାତ୍ମକ ନାଟକ ‘ସୋମରସ’। ଆଜିକାଲି ଦୁନିଆରେ ସବୁକିଛି ପରିବର୍ତ୍ତନ ହେଇଛି । ମଣିଷର ଚାଲିଚଳନ, ଆଚାର ବ୍ୟବହାର, ସଂପର୍କ ସବୁକିଛି । ନିଜ ହାତରେ ନିଜେ ୨୨ ହାତେ । ଯେକୌଣସି କାମ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଖୋସାମତି କରିବାକୁ ପଡ଼ୁଛି । ଶୁଭ କାମ ହେଉ କିମ୍ବା ବିପଦବେଳେ,ବିନା ସୋମରସ ବା ବିନା ମଦରେ କିଛି ବି କାମ ହେଉନି । ବର୍ତ୍ତମାନ ସମାଜର ମୁଖ୍ୟ ରସ ହେଉଛି ସୋମରସ। ଏପରି ଏକ ବିଷୟ ବସ୍ତୁକୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ ସୋମରସ। ଚଳଚିତ୍ର ଓ ଟିଭି ଜଗତର ସୁପ୍ରସିଦ୍ଧ ହାସ୍ୟ କଳାକାର ପ୍ରଜ୍ଞାରଞ୍ଜନ ଖଟୁଆଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଏହି ନାଟକକୁ ଭୁବନେଶ୍ୱରର ମ୍ୟାଜିକ ଥିଏଟରର କଳାକାର ମାନେ ପରିବେଷଣ କରିଥିଲେ। ଏଥିରେ ବିଭିନ୍ନ ଭୂମିକାରେ ସୁକେଶ କୁମାର, କାବୁ, ନିରଂଜନ, ଚିରଞ୍ଜୀବ, ସୁଜିତ, ବିପ୍ଳବ, ରମେଶ, ମୁନା, ସ୍ବରୂପ, ଶିବ, ସୋମି, ପ୍ରକାଶ, ମଳୟ, ପ୍ରଜ୍ଞା, ଶୁଭଙ୍କର ଏବଂ ତପସ୍ୟା।ମଞ୍ଚସଜ୍ଜାରେ ପ୍ରଜ୍ଞା, ଆଲୋକରେ ଆପୁ, ସଂଗୀତରେ ରାଜ ଏବଂ କଣ୍ଠଦାନ କରିଥିଲେ ଅନୁରାଗ। ନାଟ୍ୟଧାରା, ନୟାଗଡ଼ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଅନୁକୁଲ୍ୟରେ ଆୟୋଜିତ ଏହି ନାଟ୍ୟମେଲର ଶେଷ ଦିବସରେ ଜିଲ୍ଲାର ଦୁଇଜଣ ବିଶିଷ୍ଟ କଳାକାରଙ୍କୁ ଜନାର୍ଦ୍ଦନ ମିଶ୍ର ନାଟ୍ୟସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଥିଲା । ଭାପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ବାରବାଟୀ ଅଞ୍ଚଳର ଗାୟକ ସାମନ୍ତ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ଏବଂ ଇଟାମାଟି ପ୍ରଗତି ଚିତ୍ରାଳୟର ପ୍ରଶାନ୍ତ କୁମାର ସାହୁଙ୍କୁ ଉପଢୌକନ ଏବଂ ମାନପତ୍ର ଦିଆଯାଇ ଏହି ନାଟ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଉଦଯାପନୀ ଦିବସରେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ,ଉପ ସଭାପତି ବିଶ୍ୱନାଥ ମହାପାତ୍ର, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀଙ୍କ ସମେତ ନାଟ୍ୟଧାରା ପରିବାର ପକ୍ଷରୁ ଗଣ ମାଧ୍ୟମ ସଂଯୋଜକ ଲକ୍ଷ୍ମୀଧର ସାହୁ,ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ପ୍ରଶାନ୍ତ କୁମାର ପଟ୍ଟନାୟକ,ଅଶୋକ ମଲ୍ଲ ପ୍ରମୁଖ ନାଟ୍ୟମେଳା ପରିଚାଳନାରେ ସହଯୋଗ କରିଥିଲେ ।
ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟା, ପ୍ରଜ୍ଞାଙ୍କ ‘ସୋମରସ’ରେ ହସି ହସି ବେଦମ ହେଲେ ଦର୍ଶକ
