ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, କଦଳୀବନ୍ଧ ଠାରେ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ଓଡ଼ଗାଁ ତହସିଲଦାର ଡ. ମାନସରଞ୍ଜନ ଭୋଇ ମୁଖ୍ୟ ଅତିଥି, ମଣ୍ଡଳ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ସୌଦାମିନୀ ମହାପାତ୍ର, ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା, ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଶାବାରୀର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ପୂର୍ବତନ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତ୍ରିଲୋଚନ ସାମନ୍ତରାୟ, ଶିକ୍ଷକ ଶୁସେନ୍ଦୁ ଷଡ଼ଙ୍ଗୀ ଓ ଶିକ୍ଷୟିତ୍ରୀ ମଧୁସ୍ମିତା ଆଚାରୀ ମଞ୍ଚାସୀନ ଥିଲେ।
ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ପ୍ରଥମେ ରଘୁନାଥଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପ, ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପ୍ରକୃତିବନ୍ଧୁ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ ଜଣେଇବା ସହିତ ପରିଚୟ ପ୍ରଦାନ କରିଥିଲେ। ପରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନଙ୍କଦ୍ୱାରା ପୁଷ୍ପ, ମୋମେଣ୍ଟୋ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ଅତିଥିମାନଙ୍କୁ ଏବଂ ପାଚିକା ରଜନୀ ବିଶୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ବିଦ୍ୟାଳୟରେ ବାର୍ଷିକ ଉତ୍ସବର ଆବଶ୍ୟକତା, ଅଭିଭାବକ ମାନଙ୍କ ସହଭାଗିତା, ଶିକ୍ଷାର୍ଥୀ ମାନଙ୍କ ଶିକ୍ଷା ଗ୍ରହଣ ପ୍ରକ୍ରିୟାରେ ନୂତନତ୍ୱକୁ ଆପଣେଇବା, ସୃଜନାତ୍ମକ କାର୍ଯ୍ୟ କଳାପର ଆବଶ୍ୟକତା, ସଂସ୍କୃତି ଓ ପରମ୍ପରା ସହିତ ଯୋଡ଼ି ହୋଇ ଶିକ୍ଷଣକାର୍ଯ୍ୟ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।
ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ବର୍ଷାରାଣୀ ପ୍ରଧାନ, ଚତୁର୍ଥ ଶ୍ରେଣୀ ଛାତ୍ରୀ ସୁଚିଶ୍ମିତା ବିଶ୍ୱାଳ ଓ ପଞ୍ଚମ ଶ୍ରେଣୀର ଛାତ୍ର ଶୁଭମ୍ ବାରିକଙ୍କ ଭାଷଣ ଅତିଥିମାନଙ୍କୁ ବେଶ୍ ବିମୋହିତ କରିଥିଲା। ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅତିଥିମାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ବିଦ୍ୟାଳୟର ପରିବେଶକୁ ସବୁଜ ସୁନ୍ଦରଥିବା, ମଧ୍ୟାହ୍ନ ଭୋଜନ ନିମିତ୍ତ ପିଲାମାନଙ୍କ ପାଇଁ ଡାଇନିଂ ଟେବୁଲ ବ୍ୟବସ୍ଥା, ଥାଳି ଧୋଇବା, ଗଛରେ ପାଣିଦେବାପାଇଁ ଟ୍ୟାପ ବ୍ୟବସ୍ଥାକୁ ସଭିଏଁ ପ୍ରଶଂସା କରିଥିଲେ। ପୂର୍ବରୁ ହୋଇଥିବା ସମାପ୍ତିସୂଚକ ଆକଳନରେ ଭଲ ପ୍ରଦର୍ଶନ କରିଥିବା ଏବଂ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ବହି, ଖାତା, କଲମ, ପେନସିଲ୍ ରବର, ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
ପରିଶେଷରେ ଅତିଥି, ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟାମାନଙ୍କ ସାହାଯ୍ୟରେ ବୃକ୍ଷ ମାନଙ୍କରେ ପକ୍ଷୀମାନଙ୍କ ପାଇଁ ଜଳପାନର ସୁବିଧା, ଜଳପାତ୍ର ରଖିବା ଭଳି ମହତ୍ କାର୍ଯ୍ୟ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମକୁ ଗ୍ରାମବାସୀ ଓ ସଭ୍ୟାସଭ୍ୟମାନେ ଭୂୟସୀ ପ୍ରଶଂସା କରିଥିଲେ। ଶିକ୍ଷୟିତ୍ରୀ ରିତାପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
