ନୂଆଗାଁରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୩ଜଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ +୩ଡିଗ୍ରୀ କଲେଜ ,ନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ ଏବଂ ନୂଆଗାଁ +୩ ଡିଗ୍ରୀ କଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ  ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସମ୍ପାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଷ୍ଠାନ ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ ମଲ୍ଲ ଏବଂ ଅଧ୍ୟାପକ ଚିନ୍ମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ।  ପ୍ରତିଯୋଗିତାରେ କଣ୍ଠଶିଳ୍ପୀ ଶକ୍ତିମାନ ସ୍ୱାଇଁ, ମୋନାଲିସା ପ୍ରଧାନ, ମିନତୀ ନାୟକ ପ୍ରମୁଖ ୩ ଜଣ ସେମି ଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥଲେ। ସୂଚନା ଯୋଗ୍ୟଯେ ଜିଲ୍ଲାର ସମସ୍ତ ୮ଟି ବ୍ଳକରେ କଣ୍ଠଶିଳ୍ପୀ ମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏଥିରୁ ମନୋନୀତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ  ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ସହିତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବ।  ଆସନ୍ତା ଜାନୁଆରୀ ୫ ତାରିଖରେ ନୟାଗଡ଼ ଠାରେ ସେମି ଫାଇନାଲ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Related posts