ରଣପୁର,(ନୟାଗଡ଼ ଦର୍ପଣ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଉପଲବ୍ଧି ସ୍ତରକୁ ଆକଳନ କରିବା ଓ ଶିକ୍ଷାର ଗୁଣାତ୍ମକ ପ୍ରଗତିକୁ ମାପିବା ପାଇଁ ୨୦୦୦ ମସିହା ପର ଠାରୁ ପ୍ରତି ୩ ବର୍ଷରେ ଥରେ ସମଗ୍ର ଭାରତ ବର୍ଷରେ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହୋଇଆସୁଅଛି । ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଫଳତାର ସହ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହା ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଶ୍ନପତ୍ର ମାଧ୍ୟମରେ ଆକଳନ କରାଯାଇଥିଲା । ନୟାଗଡ ଜିଲ୍ଲାର ୮ଟି ବ୍ଲକର ତୃତୀୟ ଶ୍ରେଣୀରେ ୨୮ଟି ବିଦ୍ୟାଳୟ, ଷଷ୍ଠ ଶ୍ରେଣୀର ୪୮ଟି ବିଦ୍ୟାଳୟ ଓ ନବମ ଶ୍ରେଣୀରେ ୪୬ଟି ବିଦ୍ୟାଳୟରେ ଏହି ପରଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥରେ ତୃତୀୟ ଶ୍ରେଣୀର ୯୭୨ ଜଣ, ଷଷ୍ଠ ଶ୍ରେଣୀର ୧୦୩୫ ଜଣ ଓ ନବମ ଶ୍ରେଣୀର ୧୨୫୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେହିପରି ତୃତୀୟ ଶ୍ରେଣୀର ୯୦ ଜଣ, ଷଷ୍ଠ ଶ୍ରେଣୀର ୧୨୯ ଜଣ ଓ ନବମ ଶ୍ରେଣୀର ୧୭୯ ଜଣ ଶିକ୍ଷକଶିକ୍ଷୟତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ଠାରୁ ପ୍ରଶ୍ନପତ୍ର ଓ ଓଏମଆର ସିଟ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜସୁନାଖଳା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ ଏବଂ ବାଙ୍କୋଇ ପାଂଚଗଡ ଅନଙ୍ଗ ନରେନ୍ଦ୍ର ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ସର୍ବମୋଟ ୧୨୮ ଜଣ ଗୁରୁ ଛାତ୍ରଛାତ୍ରୀ ଏଥିରେ ପରୀକ୍ଷକ କାର୍ଯ୍ୟ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦିପ୍ତିମୟୀ ପ୍ରିୟଦର୍ଶିନୀ, ରାଜସୁନାଖଳା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପ୍ରତାପ କୁମାର ମହାପାତ୍ର ପ୍ରମୂଖ ଏହାକୁ ପରିଚାଳନା କରିଥିଲେ ।