ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସଭାକକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ମୂର୍ତ୍ତିକା ଦିବସ-୨୦୨୪ ପାଳନ କରାଯାଇଛି । ଏହି ଦିବସ ସୁସ୍ଥ କୃଷି, ପରିବେଶ ସୁରକ୍ଷା ଏବଂ ଖାଦ୍ୟ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟକର ମୂର୍ତ୍ତିକା ଗୁରୁତ୍ୱପୂର୍ଣ୍ଣ । ଏହା ୟୁନାଇଟେଡ୍ ନେଶନ୍ ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଏହା ଦ୍ୱାରା ଜଳବାୟୁ ପରିବର୍ତ୍ତନ ପ୍ରତିରୋଧ ଏବଂ ପୃଥିବୀରେ ଜୀବନ ଧାରଣ କରିବାରେ ମୂର୍ତ୍ତିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ମୂର୍ତ୍ତିକା କ୍ଷୟ, ମୂର୍ତ୍ତିକା ପ୍ରଦୁଷଣ ଏବଂ ମୂର୍ତ୍ତିକାରେ ଜୈବପଦାର୍ଥ ହ୍ରାସ ଭଳି ପରିବର୍ତ୍ତନକୁ ରୋକିବାରେ ଜନସଚେତନତା ସୃଷ୍ଟି କରିଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଚାଷୀମାନେ ମୂର୍ତ୍ତିକା ନମୂନା ପରୀକ୍ଷା କରିବା ଏବଂ ବିଭିନ୍ନ ଫସଲ ଚାଷ ପାଇଁ ଜୈବିକସାରର ପ୍ରୟୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲାର ବରିଷ୍ଠ ବୈଜ୍ଞାନିକ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା, ନିର୍ବାହୀ ଯନ୍ତ୍ରୀ କୃଷି, ଅତିରିକ୍ତ ଜିଲ୍ଲା ଉଦ୍ୟାନବିତ୍, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ସମସ୍ତ ଲାଇନ ବିଭାଗର ଅଧିକାରୀ, କୃଷି ଓ ଉଦ୍ୟାନ ବିଭାଗର ଅଧିକାରୀ, ଚାଷୀ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ବିଦ୍ୟାଳୟସ୍ତରରେ ଏହି ଦିବସ ଉପରେ ହୋଇଥିବା ପୋଷ୍ଟର ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏତଦ୍ ବ୍ୟତୀତ ନୟାଗଡ଼ ଜିଲ୍ଲାର ୨୦ଜଣ ଚାଷୀଙ୍କୁ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ବିତରଣ କରାଯାଇଥିଲା ।